ପାରାଦ୍ଵୀପ ଆଦର୍ଶ ଥାନା କଡ଼ରେ ଯୁବକଙ୍କୁ ଅତି ଭାବେ ନିର୍ମମ ହତ୍ୟା
ପାରାଦ୍ଵୀପ ଆଦର୍ଶ ଥାନା କଡ଼ରେ ଯୁବକଙ୍କୁ ଅତି ଭାବେ ନିର୍ମମ ହତ୍ୟା କରାଯାଇଛି। ଯୁବକ ଜଣଙ୍କ ଗତ ୨୫ ଦିନ ହେଲା ସ୍ଥାନୀୟ ରେବିକା ହୋଟେଲ ରେ କାମ କରୁଥିଲେ ଏବଂ ତାଙ୍କ ଘର କେନ୍ଦ୍ରାପଡା ଜିଲ୍ଲା ଗଣ୍ଡାଖିଆ ଲୋକନାଥପୁର ର ଶ୍ରୀଚରଣ ଜେନା ଙ୍କ ୨୬ ବର୍ଷର ପୁଅ ଟୁବୁଲି ଜେନା ବୋଲି ଜଣାପଡିଛି। ଗତକାଲି ବିଳମ୍ବିତ ରାତିରେ ଅସହ୍ୟ ଗରମ ଯୋଗୁଁ ଟୁବଲି ଓ ହୋଟେଲ ର କିଛି କର୍ମଚାରୀ ଟ୍ୟାକ୍ସି ଷ୍ଟାଣ୍ଡ ର ରେଷ୍ଟ ସେଡ୍ ରେ ଶୋଇଥିଲେ। ମାତ୍ର ହୋଟେଲ ମାଲିକ ସମସ୍ତଙ୍କୁ ଘରେ ଶୋଇବାକୁ ଡାକିବାରୁ ସମସ୍ତେ ଘରେ ଶୋଇବାକୁ ଯାଇଥିଲେ , ହେଲେ ଟୁବୁଲି ରୁମକୁ ଯାଇଥିଲେ ମଧ୍ୟ ପରେ ବାହାରକୁ ଚାଲିଆସିଥିବା ଜଣାପଡିଛି। ମୃତ ଟୁବୁଲି ଙ୍କ ବେକ କଟା ହୋଇଥିବା ବେଳେ ତାଙ୍କ ମୁଣ୍ଡରେ ଗଭୀର କ୍ଷତ ରହିଛି ଏବଂ ଏକ ଛୁରୀ ସାହାଯ୍ୟରେ ତାଙ୍କ ମୁହଁ କୁ ବାରମ୍ବାର ଆଘାତ କରାଯାଇଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ଆଦର୍ଶ ଥାନା ଅଧିକାରୀ ଓ ପାରାଦ୍ଵୀପ ଅତିରିକ୍ତ ଏସପି ପହଞ୍ଚି ତଦନ୍ତ କରିବା ସହିତ ସାଇଣ୍ଟିଫିକ ଟିମ୍ କୁ ଡକାଯାଇଛି। ଥାନା ଠାରୁ ମାତ୍ର ୩୦ ମିଟର ଦୂରରେ ଘଟିଥିବା ଏହି ଜଘନ୍ୟ ହତ୍ୟାକାଣ୍ଡ କୁ ନେଇ ପୋଲିସ ତତ୍ପର ହୋଇପଡ଼ିଥିବା ବେଳେ ଯୁବକଙ୍କ ପରିବାରକୁ ଖବର ଦିଆଯାଇଛି। ଯୁବକଙ୍କ ନିକଟରୁ ଏକ ମୋବାଇଲ ଫୋନ ଓ ଗୋଟିଏ ସିମ୍ କାର୍ଡ ଜବତ କରିଛି ପୋଲିସ।