ଯୌତୁକ ନିର୍ଯ୍ୟାତନା ମାମଲାରେ ଅଭିଯୁକ୍ତ ସ୍ଵାମୀ ଗିରଫ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଗାରବନ୍ଧ ଥାନାରେ ଏକ ଯୌତୁକ ନିର୍ଯ୍ୟାତନା ମାମଲା ରୁଜୁ ହୋଇଥିବା ବେଳେ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବାର ଜଣାପଡିଛି । ଗାରବନ୍ଧ ଥାନା ସୂତ୍ରରୁ ପ୍ରକାଶ ଯେ, ଚିନ୍ତାପଲ୍ଲୀ ଗ୍ରାମର ଏମ୍. ସୋମେଶୁ ତାଙ୍କ ପତ୍ନୀ ଏମ୍. ମୋହିନୀଙ୍କୁ ଯୈାତୁକ ଜନିତ ନିର୍ଯ୍ୟାତନା ଦେଇଥିବାର ଅଭିଯୋଗ ହୋଇଥିଲା । ଏନେଇ ମୋହିନୀ ଗାରବନ୍ଧ ଥାନାର ଦ୍ୱାରସ୍ଥ ହୋଇଥିଲେ । ଥାନାରେ ଲିଖିତ ଅଭିଯୋଗ ଦେବା ପରେ ସୋମେଶୁ ଅଭିଯୋଗ ପ୍ରତ୍ୟାହାର କରିବା ପାଇଁ ଚାପ ପକାଇଥିଲେ । ହେଲେ ମୋହିନୀ ମାନି ନଥିବାରୁ ସୋମେଶୁ ନିଜ ଝିଅ ଏବଂ ପତ୍ନୀ ମୋହିନୀଙ୍କୁ ନିସ୍ତୁକ ପିଟିବା ସହ ମରଣାନ୍ତକ ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି । ଘଟଣାକୁ ଗୁରୁତ୍ୱର ସହ ନେଇ ଗାରବନ୍ଧ ଥାନା ଅଧିକାରୀ ଗୋବିନ୍ଦ ଗୌଡଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁସନ୍ଧାନ କରିବା ପରେ ଅଭିଯୁକ୍ତ ସୋମେଶୁକୁ ଗିରଫ କରି କୋର୍ଟ ଚାଲାଣ କରିଥିବାର ସୂଚନା ପ୍ରଦାନ କରାଯାଇଛି । ଏନେଇ ଗାରବନ୍ଧ ଥାନାରେ ୪୩/୨୩ରେ ଏକ ମାମଲା ରୁଜୁ କରାଯାଇ ଘଟଣାର ଅଧିକା ତଦନ୍ତ ଜାରି ରହିଥିବାର ଥାନା ସୂତ୍ରରୁ ପ୍ରକାଶ ।