ଡାଳିମ୍ବପୁର ଅସ୍ଥାୟୀ ରାସ୍ତା ଭାସିଯିବା ପରେ ବିପଦପୂର୍ଣ୍ଣ ଭାବେ ଯାତାୟତ କରୁଛନ୍ତି ଲୋକେ ।
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠସ୍ଥ ତଥା ଗୋଷାଣି ବ୍ଲକ କେରାଣ୍ଡି ପଞ୍ଚାୟତ ଅନ୍ତର୍ଗତ ଡାଳିମ୍ବପୁର ଗ୍ରାମକୁ ସଂଯୋଗିକରଣ କରୁଥିବା ଏକ ଅସ୍ଥାୟୀ ରାସ୍ତା କିଛି ଦିନ ପୂର୍ବେ ଲଗାଣ ବର୍ଷାରେ ଭାସିଯାଇଥିଲା । ଫଳରେ ଅଞ୍ଚଳର ପ୍ରାୟ ୩ହଜାର ଲୋକଙ୍କ ଜୀବନ ରେଖା କୁହାଯାଉଥିବା ଉକ୍ତ ରାସ୍ତାରେ ଗମନାଗମନ ଠପ୍ ହୋଇପଡିଛି । ପ୍ରଶାସନ ପକ୍ଷରୁ ଏହି ଅସ୍ଥାୟୀ ରାସ୍ତା ଭାସିଯିବା ଦିନ କୁହାଯାଇଥିଲା ଯେ ବର୍ଷା କମିଲେ ଅସ୍ଥାୟୀ ରାସ୍ତା ନିର୍ମାଣ କରାଯିବ । ହେଲେ ବର୍ତ୍ତମାନ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଛି । ବିଭାଗ ତରଫରୁ ପ୍ରାୟ ୧୦ଗୋଟି ହ୍ୟୁମ ପାଇପ ପକାଯାଇଛି । ହେଲେ ବର୍ଷା କେବେ କମିବ ରାସ୍ତା କେବେ ନିର୍ମାଣ ହେବ ସେନେଇ ଅନାଇ ବସିଛନ୍ତି ଡାଳିମ୍ବପୁର, ଅମରା, ରାଟିଣି ଆଦି ଗ୍ରାମବାସୀ । ତେବେ ଆନ୍ଧ୍ରର ନାର୍ସନ୍ଦ୍ରା-ବସୁନ୍ଦ୍ରା ଦେଇ ପାରଳାଖେମୁଣ୍ଡି ସହର କୁ ଆସିବାକୁ ହେଲେ ୧୦ରୁ୧୨ କିମି ଅଧିକା ରାସ୍ତା ପଡୁଅଛି । ଯାହାକି ଡାଳିମ୍ବପୁର, ଅମରା, ରାଟିଣି ଗ୍ରାମ ପାରଳା ସହର ଠାରୁ ମାତ୍ର ୪ରୁ ୫କିମି ଦୂରରେ ଅବସ୍ଥିତ । ଏପରି ସ୍ଥଳେ ଆନ୍ଧ୍ର ଦେଇ ଯାତାୟତ କରିବା କଷ୍ଟସାଧ୍ୟ ହେଉଛି ବୋଲି ଜଣାଇଛନ୍ତି । ଅପରପକ୍ଷରେ କୌଣସି ଜରୁରୀ କାମ ପଡିଲେ ଲୋକେ ବିଶେଷ କରି ଯୁବାବସ୍ଥାରେ ଥିବା ବ୍ୟକ୍ତିବିଶେଷ ଦୈଡି ଓ ଗଛର ଭରଷାରେ ଏହି ନାଳ ପାର କରୁଥିବାର ଦେଖିବାକୁ ମିଳିଛି । ଦୈଡି ତଥା ଗଛ ତଳେ ନାଳରେ ପ୍ରବାହିତ ହେଉଥିବା ପ୍ରଖୋର ସ୍ରୋତ ରହିଥିବାର ଦେଖିବାକୁ ମିଳୁଛି । ହେଲେ ଲୋକେ ଜରୁରୀ କାର୍ଯ୍ୟରେ ଜୀବନକୁ ବାଜି ଲଗାଇ ବିପଦପୂର୍ଣ୍ଣ ଭାବେ ଯାତାୟତ କରୁଛନ୍ତି । ନାଳରେ ସେପାରିରେ ଥିବା ଡାଳିମ୍ବପୁର ଅଞ୍ଚଳରେ କେରାଣ୍ଡି ଏବଂ ପାରଳା ସହର ଅଞ୍ଚଳର ବିଭିନ୍ନ ଚାଷୀଙ୍କ ଚାଷ ଜମି ରହିଯାଇଛି । ପ୍ରାୟ ୭୦ଏକରରୁ ଉର୍ଦ୍ଧ ପରିମାଣର ଜମି ରହିଥିବାର ପ୍ରକାଶ କରିଛନ୍ତି ଲୋକେ । ଚାଷବାସ ସହ ଅନ୍ୟାନ୍ୟ ଜରୁରୀ କାର୍ଯ୍ୟରେ ଲୋକେ ଦୈଡି ଭରଷାରେ ଯାତାୟତ କରୁଥିବାର ଜଣାଇଛନ୍ତି । ସେହିପରି ଉଲ୍ଲେଖିତ ୩ଖଣ୍ଡ ଗ୍ରାମବାସୀ ବସୁନ୍ଦ୍ରା-ନାର୍ସନ୍ଦ୍ରା ଦେଇ ଯାତାୟତ କରୁଥିବା ବେଳେ ପ୍ରାୟ ୩୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ବିଭିନ୍ନ ସ୍କୁଲରେ ପଡୁଥିବା ବେଳେ ଏମାନେ ମଧ୍ୟ ଆନ୍ଧ୍ର ଦେଇ ଦୂରବାଟରେ ଯାତାୟତ କରୁଥିବାର ଜଣାପଡିଛି । ପ୍ରକାଶ ଯେ, ଡାଳିମ୍ବପୁର-କେରାଣ୍ଡି ରାସ୍ତାରେ ଥିବା ଏକ ନାଳ ଉପରେ ଥିବା ପୁରାତନ ବ୍ରିଜଟିକୁ ଗତ ଜୁନ ମାସରେ ଭାଙ୍ଗି ଦିଆଯାଇଥିଲା । ଏହା ପାଶ୍ୱର୍ରେ ଏକ ଅସ୍ଥାୟୀ ରାସ୍ତା ନିର୍ମାଣ କରାଯାଇଥିଲେ ମଧ୍ୟ ତାହା ନିମ୍ନମାନର କରାଯାଉଛି ବୋଲି ଅଭିଯୋଗ ହୋଇଥିଲା । ହେଲେ ଜୁଲାଇ ୧୦ ତାରିଖ ପରେ ପରେ ବର୍ଷା ଆରମ୍ଭ ହୋଇଯାଇଥିବାରୁ ଏହି ନାଳରେ ପ୍ରବଳ ପାଣି ମାଡି ଆସିଥିଲା । ଫଳରେ ଚଳିତ ମାସ ୧୮ ତାରିଖ ଦିନ ଏହି ଅସ୍ଥାୟୀ ରାସ୍ତା ଧୋଇହୋଇଯାଇଥିଲା । ଅସ୍ଥାୟୀ ରାସ୍ତା ଧୋଇ ହୋଇଯା ୯ଦିନ ବିତିଯାଇଥିଲେ ମଧ୍ୟ ବର୍ଷା ଯୋଗୁଁ ବିଭାଗ କୌଣସି କାର୍ଯ୍ୟ ଆଗକୁ ବଢାଇପାରୁ ନାହିଁ । ତେବେ ଏହି ଅସ୍ଥାୟୀ ରାସ୍ତା ଧୋଇ ହୋଇଯିବା ପରେ ପରେ ବ୍ରିଜ ତଥା ଅସ୍ଥାୟୀ ରାସ୍ତା ନିର୍ମାଣ ପାଇଁ ନିର୍ମାଣ ସାମଗ୍ରି ଆଣି ଗଛିତ କରିଥିବାର ଲକ୍ଷ୍ୟ କରାଯାଇଛି । ତେବେ ଏହି ସମସ୍ୟାର ସମାଧାନ କେବେ ହେବ ତାହାକୁ ନେଇ ଅନାଇ ବସିଛନ୍ତି ଏହି ଅଞ୍ଚଳର ଅଞ୍ଚଳବାସୀ ।