କେନ୍ଦ୍ର ଜଳ ଶକ୍ତି ଓ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶେସ୍ବର ଟୁଡୁଙ୍କ ଦିନିକିଆ ଗଜପତି ଗସ୍ତ
କେନ୍ଦ୍ର ଜଳ ଶକ୍ତି ଓ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶେସ୍ବର ଟୁଡୁଙ୍କ ଦିନିକିଆ ଗଜପତି ଗସ୍ତ । ଏହି ଅବସରରେ ଜିଲ୍ଲାର ରାୟଗଡ ଓ ନୁଆଗଡ ବ୍ଳକରେ ଦୁଇଟି ସ୍ଥାନରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ସହ ନୁଆଗଡ ବ୍ଳକ ଏନ୍ ଝାଲରସିଂ ଠାରେ ଚାଲିଥିବା ଶବର ସମାଜର ବାର୍ଷିକ ସମ୍ମିଳନୀରେ ଯୋଗ ଦେଇ ଆଦିବାସୀ ନେତା ସ୍ବର୍ଗତ ପ୍ରଧାନି ଗମାଙ୍ଗଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ। ଦୁର୍ଗମ ଅଞ୍ଚଳରେ ଲୋକଙ୍କୁ ସେବା ଯୋଗାଇ ଆସିଥିବା ଆଦିବାସୀ ମାନଙ୍କ ପ୍ରିୟ ନେତା ଭାବେ ଜଣାଶୁଣା ଥିଲେ ପ୍ରଧାନି ଗମାଙ୍ଗ। ଶବର ସମାଜ ପକ୍ଷରୁ ଆୟୋଜିତ ସମ୍ମିଳନୀରେ ସ୍ବର୍ଗତ ଗମାଙ୍ଗଙ୍କ ସ୍ମୃତି ଚାରଣ କରିବା ସହ ସ୍ଥାନୀୟ ବାସିନ୍ଦାଙ୍କ ଦ୍ବାରା ନିର୍ମିତ ପ୍ରତିମୂର୍ତ୍ତିର ଉନ୍ମୋଚନ କରିଥିଲେ କେନ୍ଦ୍ରମନ୍ତ୍ରୀ । ପରେ ନୁଆଗଡ ବ୍ଳକ ଲୁହାଙ୍ଗର ପଞ୍ଚାୟତର କୁମଞ୍ଜାଙ୍ଗ ଗ୍ରାମ ତାକବୁଲ୍ ଠାରେ ନିର୍ମାଣ ହେବାକୁ ଥିବା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଅଞ୍ଚଳରେ ଆଦିବାସୀ ଆବାସିକ ବିଦ୍ୟାଳୟ ସ୍ଥାପନ ପାଇଁ ୨୦୦୯ ରେ ତତ୍କାଳୀନ ନୂଆଗଡ ବ୍ଲକ ଅଧ୍ୟକ୍ଷ ଦାବି ଉପସ୍ଥାପନ କରିଥିଲେ । ସେତେବେଳେ କେନ୍ଦ୍ର ପକ୍ଷରୁ ଏହାର ସ୍ଵୀକୃତି ମିଳିବା ସହ ଜାଗା ଚିହ୍ନଟ ମଧ୍ୟ ହୋଇଥିଲା । ଦୀର୍ଘ ୧୪ ବର୍ଷ ପରେ ଆଜି କେନ୍ଦ୍ରମନ୍ତ୍ରୀ ଏଠାରେ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ବିଦ୍ୟାଳୟରେ ମୋଟ ୪୮୦ ଆଦିବାସୀ ଛାତ୍ରଛାତ୍ରୀ ରହି ସିବିଏସଇ ପ୍ୟାଟେନର ଇଂରାଜୀ ମାଧ୍ୟମରେ ପାଠ ପଢି ପାରିବେ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ । ୧୩ ଏକର ଜମି ପରିସରରେ ୩୦ କୋଟିରୁ ଉର୍ଦ୍ଧ୍ବ ବ୍ୟୟ ଅଟକଳରେ ଅତ୍ୟାଧୁନିକ ବ୍ୟବସ୍ଥା ସହ ନିର୍ମଣ ହେବ ବୋଲି ସେ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମରେ ମୋହନା ବିଧାୟକ ଦାଶରଥି ଗମାଙ୍ଗ, ନୂଆଗଡ ବ୍ଲକ ଅଧ୍ୟକ୍ଷା ମାଳତୀ ପ୍ରଧାନ, ଏଡିଏମ୍ ରାଜେନ୍ଦ୍ର ମିଞ୍ଜ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମମତା ରାଣୀ ପରିଡା ପ୍ରମୁଖ ଉପସ୍ଥିତ ଥିଲେ । କେନ୍ଦ୍ରମନ୍ତ୍ରୀଙ୍କ ଦ୍ଵାରା ରାୟଗଡ ବ୍ଲକର ସୁଭଦ୍ରାପୁର ଠାରେ ହେବାକୁ ଥିବା ଆଉ ଏକ ଏକଲବ୍ୟ ଆଦର୍ଶ ଆବାଶିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା।