ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ପ୍ରାୟ ୩୦୦ ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ତଥା ଆଚାର୍ଯ୍ୟ, ଆଚାର୍ଯ୍ୟା ଓ ଅଭିଭାବକ ମାନଙ୍କ ସମେତ ଗଜପତି ଜିଲ୍ଲା ପତଞ୍ଜଳି ଯୋଗ ସମିତି, ମହିଳା ପତଞ୍ଜଳି ଯୋଗ ସମିତି, ଭାରତ ସ୍ଵାଭିମାନ, ପତଞ୍ଜଳି କିଷାନ୍ ସେବା ସମିତି, ଯୁବା ଭାରତ ଏବଂ ହାମାରା ସ୍ଵାଭିମାନର ସଦସ୍ୟ ମାନେ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ବିଦ୍ୟାଳୟର ଯୋଗ ଆଚାର୍ଯ୍ୟ ମୂରଲୀ ମୋହନ ପ୍ରଧାନଙ୍କ ନେତୃତ୍ୱରେ ତଥା ପତଞ୍ଜଳି ମହିଳା ଯୋଗ ସମିତିର ଜିଲ୍ଲା ପ୍ରଭାରୀ ଆଶାଲତା ପାଣିଗ୍ରାହୀଙ୍କ ନିର୍ଦ୍ଦେଶନାରେ ଏବଂ ଯୋଗ ଗୁରୁ ବିଘ୍ନେଶ୍ୱର ଦାସଙ୍କ ତତ୍ଵାବଧାନରେ କାର୍ଯ୍ୟକ୍ରମଟି ସଫଳତାର ସହ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମ ଶେଷରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

