ଆନ୍ଧ୍ରକୁ ବିଦେଶୀ ମଦ ଚୋରା ଚାଲାଣ ବେଳେ ଜଣେ ଗିରଫ
ପାରଳାଖେମୁଣ୍ଡି, ୨।୬ : ଗତକାଲି ମଧ୍ୟ ରାତ୍ରରେ ଗଜପତି ଜିଲ୍ଲାରୁ ପଡୋଶୀ ଆନ୍ଧ୍ରକୁ ବିଦେଶୀ ମଦ ଚୋରା ଚାଲାଣ ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଦ୍ୱାରା ଜବତ ହୋଇଥିବାର ଜଣାପଡିଛି । ଏହି ଚୋରା ଚାଲାଣରେ ବ୍ୟବହୃତ ହେଉଥିବା ଅଟୋକୁ ମଧ୍ୟ ଜବତ କରାଯାଇଛି । ଘଟଣାରୁ ପ୍ରକାଶ ଗଜପତି ଜିଲ୍ଲା ଏସପି ସ୍ୱାତୀ ଏସ. କୁମାରଙ୍କ ନିର୍ଦ୍ଦେଶକ୍ରମେ ପାରଳାଖେମୁଣ୍ଡି ସହରରେ ପୋଲିସ ପେଟ୍ରୋଲିଂ ବ୍ୟବସ୍ଥାକୁ ବ୍ୟାପକ କରାଯାଇଛି । ଗତକାଲି ରାତ୍ରରେ ପାରଳା ପୋଲିସ ସହରରେ ରାତ୍ରକାଳୀନ ପେଟ୍ରୋଲିଂ ଜାରି ରଖି ଥିବାବେଳେ ମଧ୍ୟ ରାତ୍ର ୧୨.୩୦ ସମୟରେ ଏକ ଅଟୋ ଦ୍ରୁତ ଗତିରେ ଆସୁଥିବାବେଳେ ସନ୍ଦେହରେ ଅଟକାଇ ତନଖି କରିଥିଲେ । ଅଟୋ ମଧ୍ୟରୁ ୨୨ ପେଟି ବିଦେଶୀ ମଦ ରହିଥିବା ଦେଖା ଯାଇଥିଲା । ଅଟୋ ଏବଂ ଚାଳକଙ୍କୁ ପାରଳା ଥାନାକୁ ଆଣି ତଦନ୍ତ କରାଯିବା ପରେ ଜଣା ଯାଇଥିଲାଯେ ଏହି ବିଦେଶୀ ମଦ ପେଟି ଗୁଡିକୁ ଆନ୍ଧ୍ରକୁ ଚୋରା ଚାଲାଣ ହେଉଥିଲା । ଆନ୍ଧ୍ରରେ ବିଦେଶୀ ମଦର ଦର ଓଡିଶା ଅପେକ୍ଷା ଢେର ଅଧିକା ଥିବା ଯୋଗୁଁ କେତେଜଣ ଚୋରା ବ୍ୟବସାୟୀ ଏହାକୁ ଏକ ବ୍ୟବସାୟ ରୂପେ ଧରି ନେଇଛନ୍ତି । ଏହି ଘଟଣାରେ ଚୋରା ଚାଲାଣରେ ବ୍ୟବହୃତ ଏପି ୩୦ ୬୯୭୧ ନମ୍ବର ବିଶିଷ୍ଟ ଅଟୋକୁ ଜବତ କରାଯିବା ସହିତ ଅଟୋ ଚାଳକ ବି. ରଙ୍ଗାରାଓକୁ ଗିରଫ କରାଯାଇଛି । . ଏ ନେଇ ପାରଳାଖେମୁଣ୍ଡି ଥାନା କେଶ ନଂ ୧୬୪/୨୩ ରେ ଏକ ମକଦ୍ଦମା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ପାରଳାଖେମୁଣ୍ଡି ଆଇଆଇସି ବାବୁଲି ନାୟକ ସୂଚନା ପ୍ରଦାନ କରିଛନ୍ତି ।