କାଳବୈଶାଖୀ ତାଣ୍ଡବ : ବାଇକ ଓ ଟ୍ରାକ୍ଟର ଉପରେ ପଡିଲା ଗଛ, ବଜ୍ରପାତ ଘଟି ଗୋଟିଏ ବଳଦ ମୃତ ।
ଗଜପତି ଜିଲ୍ଲା ଗୋଷାଣି ବ୍ଲକାଞ୍ଚଳରେ ଆଜି ଅପରାହ୍ନ ପ୍ରାୟ ୪.୩୦ ସମୟରେ କାଳବୈଶାଖୀ ପ୍ରଭାବରେ ବହୁ ଧନସମ୍ପତ୍ତି ନଷ୍ଟ ହେବା ସହ ବଜ୍ରପାତ ଘଟି ଶତାୟୁ ବରଗଛ ପୋଡିଯାଇଥିବାର ଜଣାପଡିଛି । ଆଜି ଅପରାହ୍ନ ସମୟରେ ପ୍ରାୟ ୨୦ମିନିଟ ଧରି କାଳବୈଶାଖୀ ତାଣ୍ଡବ ରଚିଥିଲା । ଫଳରେ ଗୋଷାଣି ବ୍ଲକ ବୋମ୍ମିକା ପଞ୍ଚାୟତ ଅନ୍ତର୍ଗତ ଚିନ୍ତାପଲ୍ଲୀ, ବାଞ୍ଜିରି ଆଦି ଗ୍ରାମାଞ୍ଚଳରେ ବ୍ୟାପକ କ୍ଷୟ କ୍ଷତି ହୋଇଥିବାର ଜଣାପଡିଛି । ଚିନ୍ତାପଲ୍ଲୀ ଗ୍ରାମାଞ୍ଚଳରେ ଥିବା ଅନେକ ବିଦ୍ୟୁଥ ପୋଲ ଉପୁଡି ଯାଇଥିବା ବେଳେ ଗଛ ପଡି ରାସ୍ତା ଅବରୋଧ ହୋଇଛି । ଏହି ଗ୍ରାମର ପ୍ରାୟ ୫ ଗୋଟି ଘରର ଛପର ଉଡିଯାଇଥିବାର ସୂଚନା ମିଳିଛି । ଏହା ସହ ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ଅଳିଆ ଆବର୍ଜନା ସେଡ୍ ଉଡିଯାଇଥିବା ବେଳେ ଗୋଟିଏ ଟ୍ରାକ୍ଟର ଓ ବାଇକ ଉପରେ ଗଛ ପଡି ଉଭୟ ଯାନ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବାର ଦେଖିବାକୁ ମିଳିଛି । ଖବର ପାଇ ସ୍ଥାନୀୟ ରାଜସ୍ବ ନିରୀକ୍ଷକଙ୍କ ସହ ପାରଳାଖେମୁଣ୍ଡି ତହସିଲ କାର୍ଯ୍ୟାଳୟ ତରଫରୁ କ୍ଷୟକ୍ଷତିର ଆକଳନ ପାଇଁ ଏହି ଗ୍ରାମାଞ୍ଚଳ ଗୁଡିକୁ ଯାଇ ପରିଦର୍ଶନ କରିଥିବାର ଜଣାପଡିଛି । ସେହିପରି ଜଙ୍ଗଲପାଡୁ-ଶରଧାପୁର ମୁଖ୍ୟରାସ୍ତାର ଅଲେଖ ମହିମା ଆଶ୍ରମ ନିକଟରେ ବଜ୍ରପାତ ଘଟି ଗୋଟିଏ ଶତାୟୁ ବର ଗଛ ପୋଡିଯାଇଥିବାର ଦେଖିବାକୁ ମିଳିଛି । ଏନେଇ ପାରଳାଖେମୁଣ୍ଡି ଅଗ୍ନିଶମ ବିଭାଗ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ସେହିପରି ମାଛମରା ଗ୍ରାମ ଠାରେ ବଜ୍ରପାତ ଘଟି ଗୋଟିଏ ବଳଦ ମୃତ୍ୟୁବରଣ କରିଥିବାର ଜଣାପଡିଛି । ଏହି ବଳଦଟି ଗ୍ରାମ ନିକଟରେ ଥିବା ଜମିରେ ବିଚରଣ କରୁଥିବା ସମୟରେ ବଜ୍ରପାତ ସଂସ୍ପର୍ଷରେ ଆସି ମୃତ୍ୟ କରିଥିବାର ଜଣାପଡିଛି । ମୃତ ବଳଦର ମାଲିକ ୱାଡରେବ ରାମାରାଓ ବୋଲି ଜଣାପଡିଛି । ଖବରପାଇ ସ୍ଥାନୀୟ ସରପଞ୍ଚ କିଲ୍ଲି ତିରୁପତି ରାଓଙ୍କ ସମେତ ଗ୍ରାମବାସୀ ଓ ବଳଦ ମାଲିକ ଘଟଣା ସ୍ଥଳରେ ପହଞ୍ଚିଥିଲେ ।