ଚାଷଜମି ଜଳମଗ୍ନ, ଚିନ୍ତାରେ ଚାଷୀକୂଳ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ରାମସାଗର ସମେତ ଏହାର କେନାଲ ଶାଖା ଗୁଡିକ ସଫେଇ ବା ରକ୍ଷଣା ବେକ୍ଷଣ ହୋଇ ନଥିବାରୁ ବର୍ଷା ଜଳ ତଥା ରାମସାରର ଓଭରଫ୍ଲୋ ପାଣି ଗୁଡିକ ଚାଷ ଜମିରେ ପଶି ଜଳମଗ୍ନ ହୋଇଥିବାର ଦେଖିବାକୁ ମିଳୁଛି । ଫଳରେ ବର୍ତ୍ତମାନ ଖରିଫ ଚାଷ ପାଇଁ ଣ୍ଟା ଭିଡିଥିବା ଏହି ଅଞ୍ଚଳ ଚାଷୀ ମାନେ ଘରେ ନ ପଶୁନୁ ଚାଳ ମୁଣ୍ଡକୁ ବାଜିବା ସଦୃଶ୍ୟ ହୋଇପଡିଛନ୍ତି । ଚାଷ ପାଇଁ ତଳି ପକାଯାଇଥିବା ବେଲେ ଅନେକାଂଶ କ୍ଷେତରେ ଧାନ ରୁଆ ହୋଇସାରିଛି । ଫଳରେ ଆନୁମାନିକ ୪୦୦ଏକର ଚାଷ ଜମିରେ ଜଳମଗ୍ନ ହୋଇପଡିଛି । ଏପରେ ନିତିଦିନିଆ ବର୍ଷା ସେପଟେ ରାମସାଗରର ଓଭର ଫ୍ଲୋ ପାଣି ଚାଷ ଜମିଗୁଡିକରେ ଠିଆ ରହିଛି । ଅନ୍ୟପଟେ ଏହି ରାମସାଗରର ବିଭିନ୍ନ କେନାଲ ଗୁଡିକୁ ବର୍ଷା ଦିନ ପୂର୍ବରୁ ସଫେଇ ବା ରକ୍ଷଣା ବେକ୍ଷଣ ଅଭାବରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବାର କେରାଣ୍ଡି ଗ୍ରାମାଞ୍ଚଳ ଚାଷୀଙ୍କ ସମେତ ପାରଳା ସହରର ଚାଷୀ ମାନେ ପ୍ରକାଶ କରିଛନ୍ତି । କେନାଲ ତଥା ରାମସାଗର ସଫେଇ ବା ରକ୍ଷଣାବେକ୍ଷଣ ନେଇ ବହୁ ପୂର୍ବରୁ ବାରମ୍ବାର ଅଭିଯୋଗ ଚାଷିମାନଙ୍କ ପକ୍ଷରୁ ହେଉଥିଲା । ବିଭାଗ ଚାଷୀଙ୍କ କଥାକୁ ଗୁରୁତ୍ୱ ନ ଦେଇ କୌଣସି ବ୍ୟବସ୍ଥା କରିନଥିବାର ଚାଷୀମାନେ ପ୍ରକାଶ କରିଛନ୍ତି । ବର୍ତ୍ତମାନ ଜମିରେ ଜଳ ଜମି ରହୁଛି । କେନାଲ ଗୁଡିକ ସଠିକ ବ୍ୟବସ୍ଥାରେ ନଥିବାରୁ ଏହି ଜଳ ଗୁଡିକ ଧିମାଗତିରେ ନିଷ୍କାସିତ ହେଉଛି । ଫଳରେ ରୁଆ ହୋଇଥିବା ଧାନଗଛ ଏବଂ ତଳି ପଡିଥିବା ଜମି ଗୁଡିକ ନଷ୍ଟ ହେବାର ବହୁ ଆଶଙ୍କା ରହିଛି । ପାଣି ଜମି ରହିବା ଫଳରେ ତଳି ଗୁଡିକୁ ରୁଇବା ନିମନ୍ତେ ବାହାର କଲା ବେଳେ ନଷ୍ଟ ହେବ ଏବଂ ରୁଆ ହୋଇସାରିଥିବା ଧାନଗଛ ଗୁଡିକ ପୋଚକା ହୋଇଯିବାର ବହୁ ସମ୍ଭାବନା ରହିଛି ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି । ତେଣୁ ଏଥି ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ବନ୍ଦୋବସ୍ତ କରିବାପାଇଁ ଚାଷୀମାନେ ନିବେଦନ କରିଛନ୍ତି । ପ୍ରକୃତପକ୍ଷେ ରାମସାଗରୁ ବାହାରୁଥିବା ବିଭିନ୍ନ କେନାଲ ଗୁଡିକ ବିଲୟ ହେବାକୁ ବସିଲାଣି । ରାମସାଗରରୁ ପୁରୁଣାପାଟଣା ରାସ୍ତା ଦେଇ ସୀତାସାଗର ପର୍ଯ୍ୟନ୍ତ ଯାଇଥିବା କେନାଲ ଉପରେ ଲୋକେ ଘରଦ୍ୱାର କଲେଣି । ବିଏନ୍ ପ୍ୟାଲେସ ରାସ୍ତାରୁ ପୁରୁଣାପାଟଣା ରାସ୍ତା ମଧ୍ୟରେ ଥିବା ଚାଷ ଜମି ଗୁଡିକୁ ପ୍ଲଟ କରି ବିକ୍ରିବଟା ସରିଲାଣି । ଲୋକେ ଘରଦ୍ୱାର କରିଦେଇଥିବାରୁ ରାମସାଗରରୁ ସୀତାସାଗର ପର୍ଯ୍ୟନ୍ତ ଯାଇଥିବା କେନାଲ ସ୍ଥାନେ ସ୍ଥାନେ ସଙ୍କୁଚିତ ହୋଇ ଯିବା ସହ ପାରଳା ପୌରପରିଷଦ ଅଞ୍ଚଳରେ ଏହା ଅଳିଆ ଆବର୍ଜନା ନାଳ ଭାବେ ବ୍ୟବହାର କରୁଛନ୍ତି । ଏହା ସହ କେତେକ ସ୍ଥାନରେ ଜବରଦଖଲକାରୀଙ୍କ କବଜାରେ ରହିଥିବାର ଜଣାପଡିଛି । ଏଭଳି ପରିସ୍ଥିତିରେ ରାମସାଗରର ଓଭରଫ୍ଲୋ ପାଣି ଗୁଡିକ ନିଷ୍କାସିତ ହେଉନଥିବାର ଜଣାପଡିଛି ।

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.