ନବୋଦୟ ଛାତ୍ରୀ ସୌଦାମିନୀ ମୃତ୍ୟୁ ମାମଲା : କ୍ରାଇମ ବ୍ରାଞ୍ଚର ତଦନ୍ତ ଆରମ୍ଭ
ପ୍ରଥମ ଦିନରେ ମୃତକଙ୍କ ପରିବାର ଲୋକଙ୍କ ବୟାନ ରେକର୍ଡ କଲା କ୍ରାଇମବ୍ରାଞ୍ଚ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ନବଦୋୟ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ସୌଦାମିନୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ତଦନ୍ତ ଆଜି କ୍ରାଇମ ବ୍ରାଞ୍ଚ ଆରମ୍ଭ କରିଥିବାର ଜଣାପଡିଛି । କ୍ରାଇମ ବ୍ରାଞ୍ଚ ଟିମ୍ ପ୍ରଥମେ କାଶୀନଗର ଗସ୍ତ କରି ସେଠାରେ ରହୁଥିବା ମୃତ ସୌଦାମିନୀଙ୍କ ମାତା ପିତାଙ୍କ ସମେତ ଅନ୍ୟ ଜଣକୁ ପଚରା ଉଚରା କରି ବୟାନ ରେକର୍ଡ କରିଥିବାର ଜଣାପଡିଛି । ସୂଚନା ଯୋଗ୍ୟ ଯେ, ପାରଳାଖେମୁଣ୍ଡି ନବଦୋୟ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ସୌଦାମିନୀକୁ ହତ୍ୟା କରି ସୁପରୀକଳ୍ପିତ ଭାବେ ଫାଶୀ ହୋଇ ଆତ୍ମହତ୍ୟା କରିଥିବା ଗତ ଫ୍ରେବୁଆରି ୨୦ ତାରିଖରେ ଅଭିଯୋଗ ହୋଇଥିଲା । ଯାହାକୁ ପରିବାରବର୍ଗ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ଦର୍ଶାଇ ପାରଳା ଥାନାରେ ଲିଖିତ ଅଭିଯୋଗ କରି ଏଥିରେ ସଂମ୍ପୃକ୍ତ ଦୋଷୀଙ୍କୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ରଖିଥିଲେ । ସେତେବେଳେ ହତ୍ୟା ଏବଂ ପ୍ରମାଣ ନଷ୍ଟ କରିବା ଭଳି ସଙ୍ଗୀନ ଦଫା ଲାଗୁ କରାଯାଇ ପାରଳା ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଥିଲା । ହେଲେ ପୁଲିସ ତଦନ୍ତରେ ସନ୍ତୁଷ୍ଟି ନଥିବା ମୃତକଙ୍କ ପରିବାର ବର୍ଗ, ଗ୍ରାମବାସୀ ଓ କମ୍ୟୁନିଷ୍ଟ ପାର୍ଟି(ମାର୍କ୍ସବାଦୀ), ସିପିଆଇ(ଏମ୍) ଗଜପତି ଜିଲ୍ଲା କମିଟି ଧାରଣା ପ୍ରତିବାଦ କରିଆସୁଥିଲେ । ଜୁନ ୯ତାରିଖ ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମନାରେ ବଡ ଧରଣର ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେହି ଦିନ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ବାତୀ ଏସ୍. କୁମାର ତିନି ଦିନ ମଧ୍ୟରେ କ୍ରାଇମ ବ୍ରାଞ୍ଚ ତଦନ୍ତ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଫଳର ୪୬ ଦିନ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମନାରେ ନ୍ୟାୟ ଦାବିରେ ରିଲେ ଅନସନ ଏବଂ ବିକ୍ଷୋଭ ପ୍ରଦର୍ଶନରୁ ହାତୀଥିଲେ ଆନ୍ଦୋଳନକାରୀ । ଶେଷରେ ଆଜି କ୍ରାଇମ ବ୍ରାଞ୍ଚ ତଦନ୍ତ ଆରମ୍ଭ କରିଥିବାର ଜଣାପଡିଛି ।