ଗୋପାଳପୁର ବେଳାଭୂମିରେ ଓଡ଼ିଆ ଅଧ୍ୟାପକ ସଂଗୋଷ୍ଠୀର ଜାତୀୟ ସମ୍ମିଳନୀ
ହ୍ମପୁର, 0୮l0୬ : ଜୁନ୍ ୯, ୧0 ଓ ୧୧ ତାରିଖ ତିନି ଦିନ ବ୍ୟାପୀ ଓଡ଼ିଆ ଅଧ୍ୟାପକ ସଂଗୋଷ୍ଠୀର ଜାତୀୟ ସମ୍ମିଳନୀ ଓ କର୍ମଶାଳା ଗୋପାଳପୁର ବେଳାଭୂମି ସ୍ଥିତ ଗୋପାଳପୁର ମହାବିଦ୍ୟାଳୟ ପରିସରରେ ଆସନ୍ତାକାଲି ଅପରାହ୍ଣରୁ ଆରମ୍ଭ ହେଉଛି l ଏହି ଜାତୀୟ ସମ୍ମିଳନୀର ଉଦ୍ଘାଟନୀ ଉତ୍ସବରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର୍ ପ୍ରସନ୍ନ କୁମାର ସ୍ୱାଇଁ ଉଦ୍ଘାଟକ, ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ପରାମର୍ଶଦାତା ଡ. ଗୋପବନ୍ଧୁ ଦାଶ ମୁଖ୍ୟ ଅତିଥି ରୂପେ ଯୋଗ ଦେଉଥିବା ବେଳେ ପ୍ରଫେସର୍ ବାଉରିବନ୍ଧୁ ସାହୁ, ବିଶ୍ୱଭାରତୀ ଶାନ୍ତି ନିକେତନ ଓଡ଼ିଆ ପ୍ରଫେସର୍ କଇଳାଶ ପଟ୍ଟନାୟକ, ଦକ୍ଷିଣାଞ୍ଚଳ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀ ଓ ଡ. ବିଜୟାନନ୍ଦ ସିଂହ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଉଦ୍-ବୋଧନ ପ୍ରଦାନ କରିବେ l ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେବ l ଦ୍ଵିତୀୟ ଦିନ ତିନିଟି ବୈଷୟିକ ଅଧିବେଶନ ସହ ପଚାଶରୁ ଊର୍ଦ୍ଧ୍ଵ ସେବାନିବୃତ୍ତ ଓଡ଼ିଆ ପ୍ରଫେସର୍ ଓ ପ୍ରାଧ୍ୟାପକମାନଙ୍କୁ ସମ୍ବର୍ଦ୍ଧିତ କରାଯିବ l ଦ୍ଵିତୀୟ ଦିନ ସନ୍ଧ୍ୟାରେ ଭାରତଲୀଳା ପରିବେଷଣ କରାଯିବ l ଏହି ଜାତୀୟ ଅଧିବେଶନରେ ଓଡ଼ିଶା ଓ ଓଡ଼ିଶା ବାହାରୁ ଶତାଧିକ ଓଡ଼ିଆ ଅଧ୍ୟାପକମାନେ ଯୋଗଦାନ କରୁଛନ୍ତି l ଜୁନ୍ ୧୧ ତାରିଖ ଦିନ ଦୁଇଟି ବୈଷୟିକ ଅଧିବେଶନ ସହ ନବାଗତ ଓଡ଼ିଆ ଅଧ୍ୟାପକମାନଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ସଂଗୋଷ୍ଠୀର ସଭାପତି ଡ. ସିଦ୍ଧାର୍ଥ ଶଙ୍କର ପାଢ଼ୀ ଓ ସମ୍ପାଦକ ଡ. ଶରତ କୁମାର ଜେନା ଏକ ମିଳିତ ବିବୃତିରେ ଜଣାଇଛନ୍ତି l
