ବିଷାକ୍ତ ସାପ କାମୁଡାରେ ଜଣେ ମୃତ
ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ କୃଷ୍ଣପୁର ଗ୍ରାମରେ ଏକ ବିଷାକ୍ତ ସାପ କାମୁଡିିଦେବା ଫଳରେ ଜଣକର ମୃତ୍ୟୁ ଘଟିଥିବାର ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ଉଲ୍ଲେଖିତ ଗ୍ରାମର କୃଷ୍ଣଚନ୍ଦ୍ର ବିଶ୍ୱାଳ (୫୨) ରାତିରେ ଅସହ୍ୟ ଗରମ ଯୋଗୁଁ ତାଙ୍କ ଘର ବାରଣ୍ଡାରେ ଶୋଇଥିବା ବେଳେ ଏକ ବିଷାକ୍ତ ନାଗ ସାପ କାମୁଡି ଦେଇଥିଲା । ଘଟଣା ସମ୍ପର୍କରେ ପରିବାର ଲୋକେ ଜାଣିବା ପରେ ତୁରନ୍ତ ଏକ ଅଟୋରିକ୍ସା ସାହାଯ୍ୟରେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ନିମନ୍ତେ ନେଇଥିଲେ । ହେଲେ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ରାୟଗଡ ଥାନାରେ ମୃତକଙ୍କ ଭାଇ ଅନନ୍ତ ବିଶ୍ୱାଳ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ରାୟଗଡ ଥାନାରେ ୫/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବାର ଥାନା ସୂତ୍ରରୁ ପ୍ରକାଶ । ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଛେଦ ପରେ ମୃତକଙ୍କ ଶବଟିକୁ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବାର ଜଣାପଡିଛି ।