ଭଙ୍ଗା କୁଡ଼ିଆରେ ଦୁଇ ଦୁଇ ଥରର ସରପଞ୍ଚ ।

ସେବା ପାଇଁ ନିଜ ଜୀବନକୁ ଉତ୍ସର୍ଗୀକୃତ। ଲୋକଙ୍କ ସେବାକୁ ନିଜର ବ୍ରତ ବୋଲି ପାଥେୟ କରି ତାଙ୍କର ଅଧା ବୟସ ବିତିଲାଣି ।ତଥାପି ହାରି ନାହାଁନ୍ତି ସେ । ଆଖିରେ ଆଖିଏ ସ୍ୱପ୍ନ ,ମନରେ ଅନେକ ଆଶା ଓ ଆକାଂକ୍ଷା ,ଛାତିରେ ରହିଛି ପ୍ରଗାଢ ଦମ୍ଭ ଏବଂ ଉଙ୍କି ମାରୁଛି ନୂଆ ଏକ ସମ୍ଭାବନା । ତାଙ୍କ ଆଗରେ ତୁଚ୍ଛ ହୋଇଛ ସଂସାରର ମୋହ । ସେ ଦୁଇ ଦୁଇ ଥର ସରପଞ୍ଚ ହୋଇ ମଧ୍ୟ ଘର ଖଣ୍ଡିଏ କରି ପାରିନାହାଁନ୍ତି । ଦୁଇ ହଳ ଡ୍ରେସ ଓ ଖଣ୍ଡିଏ ସାଇକେଲ ହିଁ ତାଙ୍କର ସମ୍ପତ୍ତି। ଯାହାକୁ ନେଇ ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ରୋଡ଼ଙ୍ଗ ଗାଁରୁ ଆମର ଏହି ରିପୋର୍ଟ । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଅନ୍ତର୍ଗତ କେରଜୋଳି ପଞ୍ଚାୟତର ପୂର୍ବତନ ସରପଞ୍ଚ ହେଉଛନ୍ତି ଅଚ୍ୟୁତାନନ୍ଦ ପ୍ରଧାନ ।ପାଞ୍ଚ ଭାଇ ଭଉଣୀଙ୍କ ମଧ୍ୟରେ ଅଚ୍ୟୁତ ହେଉଛନ୍ତି ସମସ୍ତଙ୍କ ଠାରୁ ଭିନ୍ନ । ୩ ବର୍ଷ ବୟସରେ ମାଆ ଗୁରେଇ ପ୍ରଧାନଙ୍କୁ ହରେଇଛନ୍ତି ଅଚ୍ୟୁତ । ସେ ବାପା ଅଭିମନ୍ୟୁ ପ୍ରଧାନଙ୍କ ସାହାରାରେ ଆଗକୁ ବଢ଼ିଥିଲେ ।କିନ୍ତୁ ମଣିଷ ପରି ମଣିଷଟିଏ ଗଢିବାର ସଂକଳ୍ପ ନେଇଥିବା ଲୋକଟି ମଧ୍ୟ ଅଚ୍ୟୁତଙ୍କୁ ଛାଡି ଆରପାରିକୁ ଚାଲିଗଲେ । ଆଉ ଏତିକିରେ ଶେଷ ହୋଇନଥିଲା ଅଚ୍ୟୁତଙ୍କ କାହାଣୀ । ୧୯୮୪ ମସିହାରେ ମାଟ୍ରିକ ପରୀକ୍ଷାରେ କୃତ କାର୍ଯ୍ୟ ହୋଇଥିଲେ । ଉଚ୍ଚ ଶିକ୍ଷା କରିବା ପାଇଁ ଅର୍ଥ ସାଜିଥିଲା ବାଧକ । ସେତିକିରେ ପାଠ ପଢିବାରେ ଅଚ୍ୟୁତଙ୍କ ଡୋରି ବାନ୍ଧି ହୋଇ ଯାଇଥିଲା ।ରୋଡ଼ଙ୍ଗ ଗାଁରେ “ନବ ଉତ୍କଳ ଯୁବକ ସଂଘ”ରେ ସାମିଲ ହୋଇ ଲୋକଙ୍କ ସେବାରେ ଲାଗିଥଲେ ଅଚ୍ୟୁତ। ପରେ ସଂଘର ସଦସ୍ୟ ମାନଙ୍କ ପ୍ରଚେଷ୍ଟାରେ ୧୯୯୨ ମସିହାରେ ପଞ୍ଚାୟତର ସରପଞ୍ଚ ଭାବେ ଛିଡା ହୋଇଥଲେ । ତାଙ୍କର ସେବା ଯୋଗୁଁ ସେ ବିପୁଳ ପରିମାଣରେ ବିଜୟଲାଭ ମଧ୍ୟ କରିଥିଲେ । ଏହା ପରେ ଅଚ୍ୟୁତଙ୍କ ରାଜନୈତିକ କ୍ୟାରିଅର ଆରମ୍ଭ ହୋଇଥିଲା । ପ୍ରଥମ ପାଳିରେ ୧୯୯୨ ରୁ ୧୯୯୫ ଏବଂ ଦ୍ୱିତୀୟ ପାଳିରେ ୨୦୧୨ ରୁ ୨୦୧୭ ପର୍ଯ୍ୟନ୍ତ ସେ କେରଜୋଳି ପଞ୍ଚାୟତର ସରପଞ୍ଚ ହୋଇଥିଲେ । ୨୦୨୨ ମସିହାରେ ସରପଞ୍ଚ ଭାବେ ଛିଡା ହୋଇ ହାରି ଯାଇଥିଲେ ଅଚ୍ୟୁତ । କିନ୍ତୁ ମନରେ ଲୋକଙ୍କ ପ୍ରତି ଥିବା ସେବାର ମନୋଭାବ ତାଙ୍କୁ ଆଗକୁ ବଢିବା ପାଇଁ ଆଉ ଏକ ରାସ୍ତା ଦେଖାଇଛି । ଦୁଇ ଦୁଇ ଥରର ସରପଞ୍ଚ । ହେଲେ ଆପଣ ମାନେ ତାଙ୍କ ଭଙ୍ଗା କୁଟୀରକୁ ଦେଖନ୍ତୁ । ଚାଳ ସଜାଡ଼ିବାକୁ ତାଙ୍କ ପାଖରେ ସକ୍ଷମ ନାହିଁ ।ତାଙ୍କ ଘରେ ଦିନରେ ସୂର୍ଯ୍ୟ ଓ ରାତିରେ ତାରା ଦେଖା ଯାଉଛି । ଦୁଇ ହଳ ପ୍ୟାଣ୍ଟ ,ଦୁଇଟି ଲୁଙ୍ଗି ଓ ଗୋଟିଏ ଗାମୁଛାରେ ଜୀବନ ବିତାଉଛନ୍ତି । ସକାଳୁ ଉଠିଲେ ସାଇକେଲ ଧରି ବାହାରି ପଡନ୍ତି ଲୋକଙ୍କ ସାହାଯ୍ୟ ସହଯୋଗ କରିବାକୁ । ଘର ଘର ବୁଲି ଲୋକଙ୍କ ଦୁଃଖ ସୁଖ ପଚାରନ୍ତି । ଆଉ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ବ୍ଲକ କାର୍ଯ୍ୟାଳୟ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପଳେଇ ଯାଆନ୍ତି । ଘର ଭିତରେ ଷ୍ଟୋଭ ମାରି ରୋଷେଇ କରନ୍ତି ଏବଂ ପାଣି ଆଣିବା ଠାରୁ ଆରମ୍ଭ କରି ଘରର ସମସ୍ତ କାର୍ଯ୍ୟକୁ ସେ ତୁଲାଇ ଥାନ୍ତି । ତାଙ୍କ ସମୟରେ ଗାଁରେ ହୋଇଥିବା ରାସ୍ତା ,ଗାଁ ବିଦ୍ୟାଳୟ ,ଆବାସିକ ସ୍କୁଲ ହେଉଛି ଜ୍ୱଳନ୍ତ ଉଦାହରଣ । ନିଃସ୍ୱାର୍ଥପର ସେବା କରି ଲୋକଙ୍କ ଆସ୍ଥାଭାଜନ ହୋଇ ପାରିଛନ୍ତି ଅଚ୍ୟୁତ । ଲୋକଙ୍କ ସେବା ପରେ ଯେଉଁ ଅବସର ସମୟ ମିଳେ ,ସେ ଭାରତର ମହାନ ପୁରୁଷ ମାନଙ୍କ ବହି ଗୁଡିକ ପଢିବା ସହ ନିଜେ ମଧ୍ୟ କିଛି ଲେଖାଲୁଖି କରନ୍ତି । ତେବେ ଅଚ୍ୟୁତଙ୍କ ସାଇକେଲରେ ଯିବା ଆସିବା ଦେଖି ତାଙ୍କ ସହଯୋଗୀ ବନ୍ଧୁ ମାନେ ତାଙ୍କୁ ଏକ ବାଇକ ଉପହାର କରିଛନ୍ତି । ତେବେ ବୟସର ଏ ସମୟରେ ତାଙ୍କୁ ଗାଡି ଚଲେଇବା ପସନ୍ଦ ନଥିବା ସେ କହିଛନ୍ତି । ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଲୋକଙ୍କ ନିଃସ୍ୱାର୍ଥପର ସେବା କରିବେ ବୋଲି ସେ ଦୃଢ଼ ସଂକଳ୍ପ କରିଛନ୍ତି । ଲୋକଙ୍କ ସେବାରେ ନିଜ ଜୀବନକୁ ଉତ୍ସର୍ଗୀକୃତ ଅଚ୍ୟୁତାନନ୍ଦ ଆଜି ସମସ୍ତଙ୍କ ପ୍ରିୟ ଭାଜନ ହୋଇପାରିଛନ୍ତି । ନିଜ କୁଡ଼ିଆକୁ ସଜାଡି ନପାରିଲେ ସୁଦ୍ଧା ଅନ୍ୟ ମାନଙ୍କ କୁଡ଼ିଆ ପାଇଁ ସଂଘର୍ଷ କରିବା,ତାଙ୍କୁ ବେଶ ଆତ୍ମସନ୍ତୋଷ ଦେଇପାରିଛି । ତାଙ୍କର ଏହି ସେବା ଆଜିର ସମାଜ ପାଇଁ ବଡ଼ ନିଦର୍ଶନ ।

