କାଶୀନଗର ରେ ବିପଦ ସଙ୍କେତ ନିକଟରେ ବହୁଛି ବଂଶଧାରା ନଦୀର ଜଳ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର କାଶୀନଗର ବ୍ଲକ ଅଞ୍ଚଳ ଦେଇ ପ୍ରବାହିତ ହେଉଥିବା ବଂଶଧାରା ନଦୀ କାଶୀନଗରରେ ବିପଦ ସଙ୍କେତ ସ୍ତରରେ ପାଣି ବହୁଥିବା ଦେଖିବାକୁ ମିଳିଛି । ବୁଧବାର ସକାଳ ସମୟରେ ବିପଦ ସଙ୍କେତ ଉପରେ ୫୫.୧୦ମିଟରରେ ପାଣି ପ୍ରବାହିତ ହେଉଥିଲା । ଯାହାକି ବିପଦ ସଙ୍କେତ ୫୪.୬୦ମିଟର ରହିଛି । ତେବେ ନଦୀ ତଳ ମୁଣ୍ଡରେ ଆନ୍ଧ୍ର ପ୍ରଦେଶର ଗୋଟା ବ୍ୟାରେଜର ଫାଟକ ଖୋଲାଯାଇଥିବାରୁ ସାମାନ୍ୟ ଜଳସ୍ତର କମି ଅପରାହ୍ନ ସମୟରେ ୫୪.୦୫ମିଟରରେ ପ୍ରବାହିତ ହେଉଥିବାର ଜଣାପଡିଛି । ବର୍ତ୍ତମାନ ବଂଶଧାରା ନଦୀ ବିପଦ ସଙ୍କେତ ପାଖାପାଖିରେ ପାଣି ବହୁଥିବା ଥିବା ନେଇ କାଶୀନଗର କେନ୍ଦ୍ରୀୟ ଜଳ ଆୟୋଗ ବିଭାଗ ପକ୍ଷରୁ ସୂଚନା ଦେଇଛନ୍ତି । ଉପର ମୁହାଣରେ ଯଦି ବର୍ଷା ଲାଗି ରହିଲେ ଅଧିକ ସ୍ତରରେ ପାଣି ବହିବା ସହ ବାତ୍ୟା ହେବା ଆଶଙ୍କା ଘାରିଛି କାଶୀନଗର ବ୍ଲକ ର ବଂଶଧାରା ନଦୀ ଅବବାହିକାରେ ରହୁଥିବା ଗ୍ରାମାଞ୍ଚଳ ବାସୀଙ୍କୁ । ନଦୀ ମୁହାଣରେ ଥିବା ପାଲସିଙ୍ଗ, ସାରା, ବାଡ଼ିଗାଁ, ଖାଣ୍ଡବା, ପୁରଟିଗୁଡ଼ା, ଭାନ୍ନା, କିଡିଗାଁ ଗ୍ରାମ ଗୁଡିକକୁ ଉଚ୍ଚ ସର୍ତକତା କରିବା ସହ ପାଖରେ ଥିବା ବିଦ୍ୟାଳୟର ଆଶ୍ରୟ ନେବା ପାଇଁ ଜନସାଧାରଣଙ୍କୁ ସୂଚନା ଦେଇଥିବାର କାଶୀନଗର ତହସିଲଦାର ଅଶୋକ କୁମାର ପ୍ରଧାନଙ୍କ ସୂତ୍ରରୁପ ପ୍ରକାଶ । ସେପଟେ ନଦୀର ତଳମୁଣ୍ଡ ତଥା ଆନ୍ଧ୍ର ପ୍ରଦେଶର ହିରମଣ୍ଡଳମ୍ ନିକଟରେ ଥିବା ଗୋଟା ବ୍ୟାରେଜର ୧୭ଗୋଟି ଫାଟକକୁ ୪ଫୁଟ ଲେଖାଏଁ ଟେକି ଦିଆଯାଇଛି । ବ୍ୟାରେଜ ମଧ୍ୟକୁ ପ୍ରତି ସେକେଣ୍ଡରେ ୪୨୩୬୦ କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ୪୩୯୮୯ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ସେହିପରି ଡ୍ୟାମ ତଥା ବ୍ୟାରେଜର ତଳମୁଣ୍ଡରେ ଥିବା ଲୋକଙ୍କୁ ୧ନଂ ବିପଦ ସାଇରେନ ଦେଇ ଲୋକଙ୍କୁ ସଚେତନ କରାଯାଇଛି । ନଦୀର ଉପର ମୁଣ୍ଡରେ ବର୍ଷ ଲାଗିରହିଥିଆବାରୁ ଆଗକୁ ଆହୁରି ଜଳସ୍ତର ବଢିବ ସମ୍ଭାବନା ଥିବା କେନ୍ଦ୍ର ଜଳ ଆୟୋଗ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପକ୍ଷରେ ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ପ୍ରଶାସନ ତତ୍ପର ହୋଇ ଉଠିଛି । ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଖୋଦ୍ କାଶୀନଗରର ବଂଶଧାରା ଅବବାହିକାର ଗ୍ରାମାଞ୍ଚଳ ଗୁଡିକୁ ଗସ୍ତ କରି ନିରୀକ୍ଷଣ କରି ଆବଶ୍ୟକୀୟ ପଦକ୍ଷେପ ନିମନ୍ତେ ତଦାରଖ କରୁଛନ୍ତି । ସେହିପରି କାଶୀନଗର ବିଡିଓ କପିଳେଶ୍ବର ତାଣ୍ଡି, ତହସିଲଦାର ଅଶୋକ କୁମାର ପ୍ରଧାନ ପ୍ରମୁଖ ବଂଶଧାରା ନଦୀ ପ୍ରବାହିତ ଅଞ୍ଚଳ ଗସ୍ତ କରି ଟିକିନିଖି ନଜ ରଖିଛନ୍ତି । ଆଜି ସନ୍ଧ୍ୟା ସମୟରେ ଯଦି ଜଳସ୍ତର ବୃଦ୍ଧି ପାଏ ତେବେ ଲୋକେଙ୍କୁ ବିଭିନ୍ନ ସୁରକ୍ଷା ସ୍ଥଳକୁ ସ୍ଥାନାନ୍ତରିତ ପାଇଁ ବନ୍ଦୋବସ୍ତ କରୁଥିବାର ଜଣାପଡିଛି ।

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.