ସାମ୍ବାଦିକ ବୃତ୍ତିକୁ ସାମାଜିକ ସୁରକ୍ଷା ସହ ଅର୍ଥନୈତିକ ସୁବିଧା ପ୍ରଦାନ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଗଜପତି ଜିଲ୍ଲାପାଳଙ୍କ ଜରିଆରେ ଦାବି ପତ୍ର ପ୍ରଦାନ

ପାରଳାଖେମୁଣ୍ଡି : କାର୍ଯ୍ୟରତ ସାମ୍ବିଦିକମାନଙ୍କୁ ବିଭିନ୍ନ ସୁବିଧା ତଥା ସ୍ୱୀକୃତି ପ୍ରଦାନ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗଜପତି ଜିଲ୍ଲାପାଳ ସ୍ମୃତିରଂଜନ ପ୍ରଧାନଙ୍କ ଜରିଆରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଉକ୍ତ ଦାବି ପତ୍ରରେ ଉଲ୍ଲେଖ ରହିଛି ଯେ, ଆପଣ ମୁଖ୍ୟମନ୍ତ୍ରୀତ୍ଵ କାଳରେ ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନେ ସ୍ୱାସ୍ଥ୍ୟବୀମା ଯୋଜନା, କୋଭିଡ୍ ଜନିତ ମୃତ୍ୟୁ ଓ ଅପମୃତ୍ୟୁ କ୍ଷେତ୍ରରେ ଅନୁକମ୍ପା ରାଶି ପ୍ରଦାନ ଭଳି କଲ୍ୟାଣକାରୀ ଯୋଜନାର ଅନ୍ତର୍ଭୁକ୍ତ କରାଇ କାର୍ଯ୍ୟରତ ସାମ୍ବାଦିକଙ୍କୁ ଉପକାର କରାଇଛନ୍ତି । ଏଥିପାଇଁ ରାଜ୍ୟର ସର୍ବପୁରାତନ ତଥା ସର୍ବବୃହତ ସାମ୍ବାଦିକ ସଂଗଠନ ‘ଉତ୍କଳ ସାମ୍ବାଦିକ ସଂଘ’ ଆପଣଙ୍କୁ ଅଶେଷ କୃତଜ୍ଞତା ଜ୍ଞାପନ କରୁଛି । ଅନ୍ୟ ପକ୍ଷରେ କର୍ଣ୍ଣାଟକ, ପଞ୍ଜାବ, ମହାରାଷ୍ଟ୍ର, ହରିୟାଣା, ଅରୁଣାଚଳ ପ୍ରଦେଶ, ତ୍ରିପୁରା, ପଶ୍ଚିମବଙ୍ଗ ସମେତ ଦେଶର ୧୭ଗୋଟି ରାଜ୍ୟ ସାମ୍ବାଦିକ ମାନଙ୍କୁ ଅବସର କାଳୀନ ଭତ୍ତା ପ୍ରଦାନ କରୁଥିଲା ବେଳେ ମହାରାଷ୍ଟ୍ର ଓ ଛତିଶଗଡ଼ ଭଳି ରାଜ୍ୟ ସାମ୍ବାଦିକମାନଙ୍କୁ ବୃତ୍ତିଗତ ସୁରକ୍ଷା ଯୋଗାଇ ଦେବା ଉଦ୍ଦେଶ୍ୟରେ ସ୍ୱତନ୍ତ୍ର ସୁରକ୍ଷା ଆଇନ ପ୍ରଣୟନ କରିଛନ୍ତି । ସେହିଭଳି କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ସ୍ୱୀକୃତି ପ୍ରଦାନ କ୍ଷେତ୍ରରେ ଆମ ରାଜ୍ୟ ଅନ୍ୟାନ୍ୟ ରାଜ୍ୟ ତୁଳନାରେ ବହୁତ ପଛରେ । ଏଠାରେ ସୂଚନାଯୋଗ୍ୟ ଯେ, ଉପରୋକ୍ତ ପ୍ରସଙ୍ଗ ସମେତ ଅନ୍ୟାନ୍ୟ ୧୨ ଦଫା ଦାବିକୁ ନେଇ, ୨୦୧୬ ମସିହାରେ, ସଂଘ ୧୮ ଦିନ କାଳ ବିଧାନସଭା ସମ୍ମୁଖରେ ଧାରଣାରତ ଥିବା ଅବସରରେ ତତ୍କାଳୀନ ବିଭାଗୀୟ ମନ୍ତ୍ରୀଙ୍କ ପ୍ରତିଶ୍ରୁତି ଉପରାନ୍ତେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ମାତ୍ର ଏ ଦିଗରେ ବିଭାଗୀୟ ତତ୍ପରତା ପ୍ରକାଶ ନ ପାଇବା ପରିତାପର ବିଷୟ । ଅତଏବ, ସମ୍ପୃକ୍ତ ପ୍ରସଙ୍ଗ ପ୍ରତି ଆପଣଙ୍କ ଦୃଷ୍ଟି ଆକର୍ଷଣ ପୂର୍ବକ ବିନମ୍ର ନିବେଦନ କରୁଅଛୁ କି, ବ୍ଲକ ଠାରୁ ରାଜ୍ୟ ପର୍ଯ୍ୟନ୍ତ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ବ୍ୟାପକ ସ୍ଵୀକୃତି ପ୍ରଦାନ ସହ ପ୍ରଚଳିତ ସ୍ଵାସ୍ଥ୍ୟବୀମା ରାଶି ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି ସହ ମାସିକ ୧୦ ହଜାର ଟଙ୍କାର ଅବସରକାଳୀନ ଭତ୍ତା ବ୍ୟବସ୍ଥା, ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ଏବଂ ପ୍ରେସ୍ ଏକାଡ଼େମୀ ଗଠନ ଦିଗରେ ଆଶୁ ପଦକ୍ଷେପ ଗ୍ରହଣ କରିବା ହେଲେ ସମଗ୍ର ରାଜ୍ୟର ସାମ୍ବାଦିକ ସମାଜ ଆପଣଙ୍କ ନିକଟରେ ଚିର କୃତଜ୍ଞ ରହିବା ହେବେ । ଏହି ଅବସରରେ ନୂତନ ଭାବେ ଯୋଗ ଦେଇଥିବା ଗଜପତି ଜିଲ୍ଲାପାଳ ଶ୍ରୀ ପ୍ରଧାନଙ୍କୁ ‘ଉତ୍କଳ ସାମ୍ବାଦିକ ସଂଘ’ ପକ୍ଷରୁ ପୁଷ୍ପଗୁଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।
