୬ ଦଫା ଦାବି ପୁରଣକୁ ନେଇ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ କାର୍ଯ୍ୟରତ ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ଛଅ ଦଫା ଦାବି ପୁରଣକୁ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗଜପତି ଜିଲ୍ଲାପ୍ରଶାସନ ଜରିଆରେ ଏକ ସ୍ମାରକ ପତ୍ର ପ୍ରଦାନ କରିଥିବାର ଜଣାପଡିଛି । ସେମାନେ ଜଣାଇଛନ୍ତି ଯେ, ୨୦୧୩ ମସିହା ଠାରୁ ୧୦୮ ଆମ୍ବୁଲାନ୍ସ ସମସ୍ତ କର୍ମଚାରୀ ଯଥା ଇଏମଟି, ଚାଳକ ଓ ସହାୟକ ନିଷ୍ଠାପୂର୍ଣ୍ଣ ଭାବେ କାମ କରି ଆସୁଅଛୁ । ଯେ କୌଣସି ପରିସ୍ଥିତି କିମ୍ବା ପ୍ରତିକୂଳ ପାଗରେ ତଥା ପ୍ରାକୃତିକ ବିପର୍ଯ୍ୟୟ ଯଥା ବନ୍ୟା, ବାତ୍ୟା, କରୋନା ମହାମାରୀ, ସାମୂହିକ ଦୁର୍ଘଟଣା ଏମିତିକି ବାଲେଶ୍ବର ଟ୍ରେନ ଦୁର୍ଘଟଣାରେ ମଧ୍ୟ କାମ କରିଆସୁଅଛୁ କିନ୍ତୁ ସରକାର ଅଣଦେଖା କରି ଆମ୍ବର ସର୍ବନିମ୍ମ ସୁବିଧା ମଧ୍ୟ କରିନାହାନ୍ତି । ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ନିୟମିତ କରାଯାଉ ନଚେତ ସ୍ବତନ୍ତ୍ର ପ୍ୟାକେଜରେ 8ଘଣ୍ଟିଆ ପାରିଶ୍ରମିକ ଅନୁସାରେ ଇଏମଟିଙ୍କୁ ୩୦ହଜାର ଟଙ୍କା, ଚାଳକଙ୍କୁ ୨୫ହଜାର ଟଙ୍କା, ଆଟେଣ୍ଡେଣ୍ଟଙ୍କୁ ୨୦ହଜାର ଏବଂ ଆଡଭାନ୍ସ ଲାଇଫ ସପର୍ଟ ଇଏମଟିଙ୍କୁ ୩୫୦୦୦ ଟଙ୍କା ଦିଆଯିବା, ବାର୍ଷିକ ଦରମା ବୃଦ୍ଧି କରିବା, କୌଣସି ଆକ୍ରୋଶର ଶିକାର ହେଲେ ଆକ୍ରମଣକାରୀଙ୍କୁ ସ୍ବତନ୍ତ୍ର ଦଣ୍ଡବିଧାନ ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, କୌଣସି ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପୂର୍ବରୁ ୧୦୮ ଆମ୍ବୁଲାନ୍ସ ସଂଘ ସହତି ଆଲୋଚନା କରିବା, ପ୍ରତ୍ୟେକ ୧୦୮ ଆମ୍ବୁଲାନ୍ସ ଧୋଇବା ପାଇଁ ସୁବିଧା ଓ ଶୌଚାଳୟର ସୁଭିଧା ଥାଇ ବ୍ରିଶ୍ରମାଗୃହ ଦିଆଯିବା, ୧୦୮ ଆମ୍ବୁଲାନ୍ସ କର୍ମୀଙ୍କ ଆକସ୍ମିକ ମୃତ୍ୟୁ ଘଟିଲେ ଅନୁକମ୍ପା ରାଶି ବାବଦରେ ୨୦ଲକ୍ଷ ଟଙ୍କା ପ୍ରଦାନ କରିବା ଏବଂ ଅକର୍ମଣ୍ୟ ହେଲେ ୧୦ଲକ୍ଷ ଟଙ୍କା ପ୍ରଦାନ କରିବା ଆଦି ଦାବି ରହିଛି । ଏହି ସ୍ମାରକ ପତ୍ର ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜଙ୍କୁ ପ୍ରଦାନ ବେଳେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ସଂଘର ବହୁ ସଦସ୍ୟମାନେ ଉପସ୍ଥିତଥିଲେ ।