ବ୍ରହ୍ମଗିରିର ଅଲାରନାଥଙ୍କ ଦର୍ଶନ

ପୁରୀ : ସ୍ନାନପୂର୍ଣ୍ଣିମାରେ ଅତ୍ୟଧିକ ସ୍ନାନ ଜନିତ କାରଣରୁ ଅସୁସ୍ଥତା ଭୋଗ କରୁଛନ୍ତି ମହାପ୍ରଭୁ । ତେଣୁ ଶ୍ରୀଜୀଉଙ୍କୁ ଦର୍ଶନ କରିନପାରି ଭକ୍ତମାନେ ବ୍ରହ୍ମଗିରି ଅଲାରନାଥଙ୍କ ଦର୍ଶନରେ ଆସୁଛନ୍ତି । ବିଶ୍ୱାସ ରହିଛି ଏହି ଅଣସର ସମୟରେ ପ୍ରଭୁ ଅଲାରନାଥଙ୍କୁ ଦର୍ଶନ କଲେ ମହାପ୍ରଭୁ ଶ୍ରୀଜଗନ୍ନାଥ ଦର୍ଶନର ପୁଣ୍ୟ ମିଳିଥାଏ । ତେବେ ଅନବସରର ପ୍ରତିଦିନ ବ୍ରହ୍ମଗିରିର ଅଲାରନାଥ ପୀଠରେ ପ୍ରବଳ ଭକ୍ତଙ୍କ ସମାଗମ ଦେଖିବାକୁ ମିଳୁଛି । ଭକ୍ତଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ଓ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସ୍ନାନପୂର୍ଣ୍ଣିମାରେ ଅତ୍ୟଧିକ ସ୍ନାନ ଯୋଗୁଁ ଶ୍ରୀଜୀଉମାନେ ଏବେ ଶ୍ରୀମନ୍ଦିରର ଅଣସର ଘରେ ରହିଛନ୍ତି। ଏବେ ଦଇତାପତିମାନେ ମହାପ୍ରଭୁଙ୍କ ଅସୁସ୍ଥତାର ଉପଚାର କରିବା ସହ ଓଷ ଲାଗି କରୁଛନ୍ତି । ତେବେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିବାରୁ ପୁରୀକୁ ଆସୁଥିବା ଭକ୍ତମାନେ ଏବେ ବ୍ରହ୍ମଗିରି ଅଲାରନାଥ ପୀଠକୁ ଆସି ଦର୍ଶନ କରୁଛନ୍ତି । ମହାପ୍ରଭୁ ଅଣସର ଘରେ ରହିଥିବା ବେଳେ ଅଲାରନାଥଙ୍କୁ ଦର୍ଶନର ବିଶେଷ ତାତ୍ପର୍ଯ୍ୟ ରହିଛି । ବିଶ୍ୱାସ ଓ କିମ୍ୱଦନ୍ତୀ ରହିଛି ଏହି ସମୟରେ ବିଷ୍ଣୁଙ୍କ ଅବତାର ଅଲାରନାଥଙ୍କୁ ଦର୍ଶନ କଲେ ଜଗନ୍ନାଥ ଦର୍ଶନର ସମସ୍ତ ପୁଣ୍ୟଫଳ ମିଳିଥାଏ । ଏଣୁ ଭକ୍ତମାନେ ସ୍ନାନପୂର୍ଣ୍ଣିମା ପର ଦିନ ଠାରୁ ବ୍ରହ୍ମଗିରି ଯାଇ ଅଲାରନାଥଙ୍କ ଦର୍ଶନ କରୁଛନ୍ତି । ଆଜି ଭୋରରୁ ଦ୍ବାର ଫିଟା ନୀତି ପରେ ପ୍ରଭୁ ଅଲାରନାଥଙ୍କ ମଙ୍ଗଳ ଆଳତୀ ସହ ଅନ୍ୟାନ୍ୟ ନୀତି କାନ୍ତି ପରେ ମଧ୍ୟାହ୍ନରେ ବେଳେ ସକାଳ ଧୂପ ନୀତି ଶେଷ ହୋଇଥିଲା । ତେବେ ଅଲାରନାଥ ପୀଠରେ ଖିରୀ ଭୋଗର ବିଶେଷ ମହତ୍ତ୍ଵ ଥିବାରୁ ଭକ୍ତମାନେ ଏହି ଭୋଗ ପାଇ ଆତ୍ମତୃପ୍ତି ଲାଭ କରିଛନ୍ତି। ଭକ୍ତଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା, ପୋଲିସ ଓ ମନ୍ଦିର ପ୍ରଶାସନ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଅନବସରରେ ପ୍ରବଳ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ୬ ପ୍ଲାଟୁନ ପୋଲିସ ଫୋର୍ସ, ଜଣେ ଅତିରିକ୍ତ ଏସପି, ଜଣେ ଏସଡିପିଓଙ୍କ ସହ ବ୍ରହ୍ମଗିରି ଥାନା ଅଧିକାରୀ ଦାୟିତ୍ୱରେ ଅଛନ୍ତି। ପୁରୀ ଠାରୁ ୨୦ କିଲୋମିଟର ଦୂରରେ ଥିବା ବ୍ରହ୍ମଗିରିର ଅଲାରନାଥ ମନ୍ଦିର ପ୍ରାୟ ୧୨ ଶହ ଖ୍ରୀଷ୍ଟାଦ୍ଦରେ ପ୍ରତିଷ୍ଠା ହୋଇଥିବା କୁହାଯାଏ। ଦାକ୍ଷିଣାତ୍ୟରେ ଅଲବର ସଂପ୍ରଦାୟର ରାମାନୁଜଚାର୍ଯ୍ୟଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ଏହି ମନ୍ଦିରରେ ଅଲାରନାଥ ସାକ୍ଷାତ ବିଷ୍ଣୁ ରୁପରେ ପୂଜା ପାଉଛନ୍ତି। ଚୈତନ୍ୟ ମହାପ୍ରଭୁ ଏହି ଅଣସର ସମୟରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିନପାରି ପ୍ରତ୍ୟେକଦିନ ଅଲାରନାଥ ଦର୍ଶନ କରୁଥିବା କୁହାଯାଏ। ଏଣୁ ଅଣସର ସମୟରେ ଭକ୍ତମାନଙ୍କ ସୁଅ ଏହି ମନ୍ଦିରକୁ ଛୁଟିଥିବା ବେଳେ ପ୍ରଭୁ ଅଲାରନାଥଙ୍କ ଦର୍ଶନ ସହ ଖିରି ଭୋଗ ପାଇ ଭକ୍ତ ମାନେ ନିଜକୁ କୃତାର୍ଥ ମନେ କରିଛନ୍ତି । ତେବେ ଏହି ଅଣସର ସମୟରେ ବ୍ରହ୍ମଗିରିର ପ୍ରଭୁ ଅଲାରନାଥଙ୍କ ଦର୍ଶନ ସହ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ଥିବାରୁ ଭକ୍ତମାନେ ପଟିଦିଅଁ ରୂପେ ଶ୍ରୀଜଗନ୍ନାଥଙ୍କୁ ଅନନ୍ତ ନାରାୟଣ, ପ୍ରଭୁ ବଳଭଦ୍ରଙ୍କୁ ଅନନ୍ତ ବାସୁଦେବ ଏବଂ ଦେବୀ ସୁଭଦ୍ରାଙ୍କୁ ଭୂବନେଶ୍ବରୀ ରୂପରେ ଦର୍ଶନ କରି ନିଜକୁ ଭାଗ୍ୟବାନ ମନେ କରିଛନ୍ତି ।

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.