ନକଲି ସୁନା ବନ୍ଧକରଖି ଋଣ ନେବା ମହଙ୍ଗା ପଡିଲା , ୧୨ରୁ ବଣିକ ସମେତ ୧୧ ବନ୍ଧା ହେଲେ ।
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆରେ ନକଲି ସୁନା ବନ୍ଧକ ରଖି ଋଣ ନେବା ଘଟଣାରେ ୧୨ ଜଣଙ୍କୁ ମହଙ୍ଗା ପଡିଛି । ୧୨ ଜଣଙ୍କ ମଧ୍ୟରୁ ବ୍ୟାଙ୍କର ବଣିକ ତଥା ସୁନାରୀଙ୍କ ସମେତ ଆଜି ୧୧ଜଣଙ୍କୁ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଦ୍ବାରା ଗିରଫ ହୋଇଥିବାର ଅପରାହ୍ନ ସମୟରେ ଆଦର୍ଶ ପୋଲିସ ଥାନା ପରିସରରେ ହୋଇଥିବା ଖବରଦାତା ସମ୍ମିଳନୀରେ ସୂଚନା ପ୍ରଦାନ କରାଯାଇଛି । ସୂଚନା ପ୍ରକାରେ ବ୍ୟାଙ୍କ ଅଫ ଇଣ୍ଡିଆ ପାରଳାଖେମୁଣ୍ଡି ଶାଖା ଦ୍ବାରା ଅନୁମୋଦିତ ସୁନାରିକୁ ହାତ କରି ପ୍ରାୟ ୪୦ ଲକ୍ଷ ୭୫ ହଜାର ଟଙ୍କା ସୁନା ବନ୍ଧକ ରଖି ଋଣ ନେଇଥିଲେ । ପରେ ବନ୍ଧକ ସୁନା ଗୁଡିକ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଦ୍ବାରା ଯାଞ୍ଚ ହୋଇଥିଲା । ଯାଞ୍ଚବେଳେ ଏହି ବନ୍ଧକ ସୁନା ଗୁଡିକ ନକଲି ବୋଲି ଜଣାପଡିଥିଲା । ଏନେଇ ଉଲ୍ଲେଖିତ ବ୍ୟାଙ୍କ ଶାଖାର ପରିଚାଳକ ମୋନଜ କୁମାର ପାଲକା ୦୫.୦୫.୨୦୨୩ ତାରିଖରେ ପାରଳା ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ୧୨ ଜଣକଙ୍କ ନାମରେ ୧୨୭/୨୩ରେ ମାମଲା ରୁଜୁ କରି ତଦନ୍ତ କରିଥିଲେ । ସମସ୍ତ ତଦନ୍ତ ପରେ ଆଜି ବ୍ୟାଙ୍କ ଦ୍ଵାରା ଅନୁମୋଦିତ ସୁନାରୀ ସହ ୧୧ ଜଣ ଅଭିଯୁକ୍ତକୁ ଗିରଫ କରିଥିବା ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ବାବୁଲୀ ନାୟକ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି ।