ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ତଥା ଘୋଷଯାତ୍ରା
ଶ୍ରୀଜଗନ୍ନାଥ ପତିତପାବନ ଠାକୁର । ପତିତଜନଙ୍କୁ ଉଦ୍ଧାର କରିବାପାଇଁ ତାଙ୍କର ନୀଳଚକ୍ର ଉପରେ ଉଡ଼ୁଥିବା ବାନା ହେଉଛନ୍ତି ପତିତପାବନ ବାନା । ପତିତଜନଙ୍କୁ ଉଦ୍ଧାର କରିବାପାଇଁ ମହାପ୍ରଭୁଙ୍କର ଏହି ବିଶ୍ଵପ୍ରସିଦ୍ଧ ରଥଯାତ୍ରା । ସୁତରାଂ ମହାପ୍ରଭୁଙ୍କର ରଥଯାତ୍ରାକୁ ପତିତପାବନ ଯାତ୍ରା କୁହାଯାଏ । ଶ୍ରୀଜଗନ୍ନାଥଙ୍କର ଦ୍ଵାଦଶଯାତ୍ରା ମଧ୍ୟରେ ପ୍ରଧାନଯାତ୍ରା ହେଉଛି ରଥଯାତ୍ରା । ଶ୍ରୀକ୍ଷେତ୍ରରେ ପାଳିତ ହୋଇଆସୁଥିବା ଦ୍ଵାଦଶଯାତ୍ରା ହେଉଛି-
୧) ଦେବସ୍ନାନ,
୨) ଶ୍ରୀଗୁଣ୍ଡିଚା,
୩) ହରିଶୟନ,
୪) ଦକ୍ଷିଣାୟନ( କର୍କଟ ସଂକ୍ରାନ୍ତି),
୫) ପାର୍ଶ୍ଵପରିବର୍ତ୍ତନ,
୬) ଉତ୍ଥାନ,
୭) ଓଢ଼ଣଷଷ୍ଠୀ,
୮) ପୁଷ୍ୟାଭିଷେକ,
୯) ଉତ୍ତରାୟଣ,
୧୦) ଦୋଳୋତ୍ସବ,
୧୧) ଦମନକ ଚତୁର୍ଦ୍ଦଶୀ ଏବଂ
୧୨) ଅକ୍ଷୟ ତୃତୀୟା ।
ଏହି ଦ୍ଵାଦଶଯାତ୍ରା ମଧ୍ୟରେ ଶ୍ରୀଗୁଣ୍ଡିଚା ଯାତ୍ରାର ପ୍ରାଧାନ୍ୟ ସୁଦୂରପ୍ରସାରୀ । ମହାପ୍ରଭୁଙ୍କର ରଥଯାତ୍ରା ପରମ୍ପରାଟି ଜୈନମାନଙ୍କର ରଥଯାତ୍ରା ପରମ୍ପରାରୁ ଆସିଛି ବୋଲି କେତେକ ଗବେଷକ ମତ ଦିଅନ୍ତି । ରଥଯାତ୍ରାର ଅନ୍ୟନାମ ଘୋଷଯାତ୍ରା । ମୈତ୍ରୀ, ପ୍ରୀତି ଓ ମାନବିକତାର ଯାତ୍ରା ହେଉଛି, ଏହି ପରମପାବନ ଘୋଷଯାତ୍ରା ।
ଆଷାଢ଼ ଶୁକ୍ଳ ଦ୍ଵିତୀୟା ତିଥ୍ୟରେ ଶ୍ରୀଜଗନ୍ନାଥଙ୍କର ବିଶ୍ବପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହୁଏ । ସ୍କନ୍ଦପୁରାଣରେ ଉଲ୍ଲେଖ ରହିଛି-
‘ ଆଷାଢ଼ସ୍ୟ ସିତେପକ୍ଷେ ଦ୍ଵିତୀୟା ପୁଷ୍ୟା ସଂଯୁତା
ତସ୍ୟାଂ ରଥେ ସମାରୋପ୍ୟ ରାମଂ ମାଂ ଭଦ୍ରୟାସହ ।’’
ରଥଯାତ୍ରା ହେଉଛି ପୁରାଣ ପ୍ରସିଦ୍ଧ ଯାତ୍ରା । ପୁରାଣକାରମାନେ ରଥଯାତ୍ରାର ମହନୀୟ ଦିଗଗୁଡ଼ିକୁ ବେଶ ସୁନ୍ଦର ଭାବରେ ବର୍ଣନା କରିଛନ୍ତି । କୁହାଯାଇଛି-
‘ ଆଷାଢସ୍ୟ ସିତେ ପକ୍ଷେ ଦ୍ଵିତୀୟାୟାଂ ଶୁଭଦିନେ
ଶ୍ରୀଜଗନ୍ନାଥଦେବସ୍ୟ ଗୁଣ୍ଡିଚା ଭବତି ଧ୍ରୁବମ୍ ।
ରଥସ୍ଵଂ ଚ ଜଗନ୍ନାଥ ପ୍ରୟାତଂ ଗୁଣ୍ଡିଚା ଗୃହମ୍ ଯେ ପଶ୍ୟନ୍ତ ନରଶ୍ରେଷ୍ଠାସ୍ତେ ଧନ୍ୟା ଭୁବନତ୍ରୟେ ।’’
ଏହି ପବିତ୍ର ଘୋଷଯାତ୍ରା ଚରାଚର ହିତାୟ, ବିଶ୍ଵକଲ୍ୟାଣ ହିତାୟ । ଏହା ଅତ୍ୟନ୍ତ ଶୁଭଙ୍କର । ଏହାର ଅଧ୍ୟାତ୍ମିକ ଦିଗ ଅନିର୍ବଚନୀୟ । କୁହାଯାଇଛି-
‘ ଆଷାଢ଼ସ୍ୟ ମଳପକ୍ଷେ ଦ୍ଵିତୀୟା ପୁଷ୍ୟାସଂଯୁତେ
ଚରାଚର ହିତାର୍ଥାୟ ଘୋଷଯାତ୍ରା ବିଧିତେ ।’’
ସୁତରାଂ ବିଶ୍ଵକଲ୍ୟାଣ, ଚରାଚର ହିତସାଧନ ନିମିତ୍ତ ଏହି ପବିତ୍ର ଘୋଷଯାତ୍ରା ପାଳିତ ହୋଇଥାଏ । ଆଷାଢ଼ ଶୁକ୍ଳ ଦ୍ଵିତୀୟା ତିଥିରେ କୋଟିବ୍ରହ୍ମାଣ୍ଡର ଠାକୁର ଶ୍ରୀଜଗନ୍ନାଥ, ରେବତୀକାନ୍ତ ମହାପ୍ରଭୁ ଶ୍ରୀବଳଭଦ୍ର, କାମ୍ପିଲ୍ୟବାସିନୀ ଦେବୀ ସୁଭଦ୍ରା ଏବଂ ପରମ ତେଜୋମୟ ସୁଦର୍ଶନ ଶ୍ରୀମନ୍ଦିରର ରତ୍ନବେଦୀରୁ ଅବତରଣ କରି ନଅଦିନ ପର୍ଯ୍ୟନ୍ତ ଯାତ୍ରା କରିଥା’ନ୍ତି । ଶ୍ରୀଗୁଣ୍ଡିଚାଯାତ୍ରା ଏବଂ ବାହୁଡ଼ା ଦିବସ ବ୍ୟତୀତ ସପ୍ତଦିନବ୍ୟାପୀ ମହାପ୍ରଭୁ ଗୁଣ୍ଡିଚା ମନ୍ଦିରସ୍ଥ ସ୍ଵଜନ୍ମସ୍ଥାନ ଜନ୍ମପୁରୀ ବା ଜନକପୁରୀ ମହାବେଦୀରେ ଅବସ୍ଥାନ କରନ୍ତି | ସୁତରାଂ ଏହି ପୁରାଣପ୍ରସିଦ୍ଧ ରଥଯାତ୍ରାକୁ ‘ନବଦିନମ୍ବିକାଯାତ୍ରା’ କୁହାଯାଏ । ରଥଯାତ୍ରାର ତିନିଗୋଟି ପର୍ବ ବା ଅଙ୍ଗ ରହିଛି; ଯଥା:-
କ) ପ୍ରଥମ ଅଙ୍ଗ- ପୂର୍ବଯାତ୍ରା
ଖ) ଦ୍ଵିତୀୟ ଅଙ୍ଗ- ଗୁଣ୍ଡିଋ ମଣ୍ଡପରେ ଅବସ୍ଥାନ ବା ଆଡ଼ପ
ଗ) ତୃତୀୟ ଅଙ୍ଗ- ବାହୁଡ଼ାଯାତ୍ରା ।
ଗୁଣ୍ଡିଚାଯାତ୍ରା ସମ୍ପର୍କରେ ‘ ସ୍କନ୍ଦପୁରାଣ’ରେ ଉଲ୍ଲେଖ ଅଛି ଯେ ସ୍ୱୟଂ ଭଗବାନ ବିଷ୍ଣୁ ମହାରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ତାଙ୍କର ଯାତ୍ରା ସମ୍ପର୍କରେ କହିଛନ୍ତି-
“ଦିନାନି ନବ ଯାସ୍ୟାନି ତଥା ତସ୍ମାଦିହାଗତଃ ।
ତତ୍ରାସ୍ତି ତେ ମହାରାଜ ସର୍ବତୀର୍ଥମୟଂ ସରଃ ।।”
“ତତ୍ତୀରେ ସପ୍ତଦିବସାନ୍ ସ୍ଥାସ୍ୟାମ୍ୟନୁଜିଘୃକ୍ଷୟା ।
ତତ୍ରସ୍ଥିତଂ ମାଂ ପଶ୍ୟନ୍ତୋ ଯାନ୍ତି ମର୍ତ୍ୟା ମମାଳୟମ୍ ।।”
ଅର୍ଥାତ୍- ‘ ‘ହେ ରାଜା ! ମୁଁ ସେଠାକୁ ନଅ ଦିନ ପାଇଁ ଗମନ କରିବି । ପୁଣି ସେଠାରୁ ଫେରିବି । ସେଠାରେ ନିଷ୍ଫଳ ତୀର୍ଥମୟ ତୁମର ଯେଉଁ ସରୋବର ଅଛି, ତୁମ ପ୍ରତି ଅନୁଗ୍ରହ ଦେଖାଇବାକୁ ସେହି ସରସୀକୂଳରେ ମୁଁ ଏକ ସପ୍ତାହ ଅବସ୍ଥାନ କରିବି ।’’ ସୁତରାଂ ନୀଳଗିରିସ୍ଥିତ ଶ୍ରୀମନ୍ଦିରରୁ ନବଦିନ ପାଇଁ ବହିର୍ଗତ ହୋଇ ପରମପବିତ୍ର ଅଶ୍ଵମେଧ ଯଜ୍ଞ ସମ୍ଭୂତ ଇନ୍ଦ୍ରଦ୍ୟୁମ୍ନ ସରୋବର କୂଳସ୍ଥ ନୃସିଂହ କ୍ଷେତ୍ରାନ୍ତର୍ଗତ ସ୍ଵଜନ୍ମସ୍ଥାନ ମହାବେଦୀରେ ଭଗବାନଙ୍କର ଏକ ସପ୍ତାହ ଅଧିଷ୍ଠାନ ପାଇଁ ଯାତ୍ରା ହିଁ ଗୁଣ୍ଡିଚାଯାତ୍ରା ରୂପେ ସୁବିଦିତ ।
ରଥଯାତ୍ରାର ଅନ୍ୟନାମ ହେଉଛି ‘ମହାବେଦୀଯାତ୍ରା’ । ଏହାକୁ ମଧ୍ୟ ଦଶାବତାର ଯାତ୍ରା କୁହାଯାଏ । ମହାପ୍ରଭୁଙ୍କର ପବିତ୍ର ଆଷାଢ଼ ଶୁକ୍ଳ ଦ୍ଵିତୀୟା ଦିବସରେ ଶ୍ରୀମନ୍ଦିର ଛାଡ଼ିବା, ଗୁଣ୍ଡିଚା ମନ୍ଦିରରେ ସପ୍ତଦିବସପାଇଁ ଅବସ୍ଥାନ ଏବଂ ନବଦିନରେ ଶ୍ରୀମନ୍ଦିରକୁ ବାହୁଡ଼ା- ଏହି ନବଦିନବ୍ୟାପୀ ଉତ୍ସବମୁଖର ଯାତ୍ରାକୁ ‘ନବଦିନଯାତ୍ରା’ କିମ୍ବା ‘ନବଦିନାୟିକା ଯାତ୍ରା’ କୁହାଯାଏ । ମହାବେଦୀରେ ସପ୍ତଦିନବ୍ୟାପୀ ଅବସ୍ଥାନ କରିବା ଉଦ୍ଦେଶ୍ୟରେ ଏହି ଯାତ୍ରାର ଆୟୋଜନ ହୋଇଥିବାରୁ ଏହାକୁ ମହାବେଦୀଯାତ୍ରା କୁହାଯାଏ । ଏହାକୁ ମଧ୍ୟ ‘ ଅନ୍ତର୍ବେଦୀଯାତ୍ରା’, ‘ଆଡ଼ପଯାତ୍ରା’ କୁହାଯାଏ । ସେହିପରି ଗୁଣ୍ଡିଚା ମନ୍ଦିରସ୍ଥ ମହାବେଦୀପୀଠ ଉପରେ ଲୀଳାମୟ ଶ୍ରୀଜଗନ୍ନାଥ ମତ୍ସ୍ୟ, କୁର୍ମ, ବରାହ, ନୃସିଂହ, ବାମନ, ପର୍ଶୁରାମ, ରାମ, ବଳରାମ, ବୁଦ୍ଧ ଓ କଳ୍କୀ-ଏହି ଦଶାବତାର ଧାରଣ କରୁଥିବାରୁ ରଥଯାତ୍ରାକୁ ‘ଦଶାବତାରଯାତ୍ରା’ ନାମରେ ମଧ୍ୟ ଅଭିହିତ କରାଯାଇଛି ।
ଶ୍ରୀଗୁଣ୍ଡିଚାଯାତ୍ରା ହେଉଛି ମହାପ୍ରଭୁଙ୍କର ସ୍ଵୟଂଲୀଳା । ସ୍ନାନଯାତ୍ରା ମଧ୍ୟ ପ୍ରଭୁଙ୍କର ସ୍ଵୟଂଲୀଳା । କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଲେଖୁଛନ୍ତି-
“ ସ୍ନାନ ଗୁଣ୍ଡିଚା ଏ ବେନି ସ୍ଵୟଂଲୀଳା ଯାର ପତିତପାବନ ଅର୍ଥ ପ୍ରାସାଦୁ ବାହାର ହେ ।’’
(କୋଟିବ୍ରହ୍ମାଣ୍ଡ ସୁନ୍ଦରୀ)
ରଥଯାତ୍ରା ପାଇଁ ରଥ ନିର୍ମାଣ ବିଧି ରହିଛି । ରଥ ନିର୍ମାଣ ସକାଶେ ଦଶପଲ୍ଲା ରାଜା କାଠ ଯୋଗାଇବାର ନିୟମ ରହିଥିଲା । ଏଥିପାଇଁ ଦଶପଲ୍ଲା ରାଜା ବଂଶାନୁକ୍ରମେ ଶ୍ରୀଜଗନ୍ନାଥଙ୍କର ଖଞ୍ଜା ଜମି ଭୋଗ କରି ଆସୁଥିଲେ । ପୁରୀ ଜିଲ୍ଲାର ତତ୍କାଳୀନ କଲେକ୍ଟର ମିଷ୍ଟର ଜିଓ ୱେଫ୍ (Mr. Jeo Wef) ୧୮୦୭ ମସିହାରେ ତାଙ୍କର ଶ୍ରୀମନ୍ଦିର ସମ୍ପର୍କିତ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ଯେ ଓଡ଼ିଶାକୁ ଇଂରେଜମାନଙ୍କର ଆଗମନ ପୂର୍ବରୁ ଏହି ନିୟମ ପ୍ରଚଳିତ ଥିଲା; ମାତ୍ର ଏବେ ଏହି କାଠଯୋଗାଣ ଦାୟିତ୍ଵ ଓଡ଼ିଶା ସରକାରଙ୍କର ।
ପୁରୀଠାରେ ରଥକାଠ ପହଞ୍ଚିବା ପରେ କେଉଁ କେଉଁ ତିଥିରେ ରଥକାର୍ଯ୍ୟ ସମ୍ପାଦିତ ହୋଇଥାଏ, ଏଠାରେ ଉଲ୍ଲେଖ କରାଯାଇଛି-
୧) ଶ୍ରୀପଞ୍ଚମୀ – ଏହି ତିଥିରେ ରଥକାଠ ପୁରୀରେ ପହଞ୍ଚେ ଓ ରଥଖଳାରେ ଅନୁକୂଳ ପୂଜା ଅନୁଷ୍ଠିତ ହୁଏ ।
୨) ଶ୍ରୀରାମନବମୀ – ଏହି ତିଥିରେ ରଥକାଠ ଚିରା କାର୍ଯ୍ୟ ଆରମ୍ଭ ହୁଏ ।
୩) ଅକ୍ଷୟତୃତୀୟା – ଏହି ତିଥିରେ ରଥ ନିର୍ମାଣ ଅନୁକୂଳ ହୁଏ ।
୪) ନୃସିଂହ ଚତୁର୍ଦ୍ଦଶୀ – ଏହି ଦିବସରେ ଗୁଜ ଅନୁକୂଳ ହୁଏ ।
୫) ଚକା ଭଉଁରି ଦିନ – ଏହି ଦିନ ଚକ ତିଆରି ହୋଇ ଠାକୁରଙ୍କ ଆଜ୍ଞାମାଳା ଲାଗି କରାଯାଏ ।
୬) ଦେବସ୍ନାନପୂର୍ଣିମା – ଏହି ଦିନ ଚାରି ନାହାକ ଡେରା ଅନୁକୂଳ କରାଯାଏ ।
୭) ନେତ୍ରୋତ୍ସବ – ରଥଖଳା ଠାରୁ ରଥ ନେଇ ସିଂହଦ୍ଵାର ସମ୍ମୁଖରେ ରଖାଯାଏ ।
ରଥଯାତ୍ରାପାଇଁ ତିନିଗୋଟି ରଥ ପ୍ରସ୍ତୁତ କରାଯାଇଥାଏ । ଏହି ତିନିଗୋଟି ରଥ ହେଉଛି– ତାଳଧ୍ଵଜ, ଦର୍ପଦଳନ ଓ ନନ୍ଦିଘୋଷ । ଶ୍ରୀବଳଭଦ୍ର ଠାକୁରଙ୍କର ରଥର ନାମ ତାଳଧ୍ଵଜ । ଦେବୀ ସୁଭଦ୍ରାଙ୍କ ରଥର ନାମ ଦର୍ପଦଳନ । ଶ୍ରୀଜଗନ୍ନାଥଙ୍କ ରଥର ନାମ ନନ୍ଦିଘୋଷ