ଆହୁରି ଦୁଇ ଦିନ ଜାଳିବ ତାତି, ସ୍ୱାଭାବିକଠୁ ୫-୭ଡିଗ୍ରୀ ଉପରେ ରହିବ ପାରଦ : ୭ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଆହୁରି ଦୁଇ ଦିନ ଜାଳିବ ତାତି, ସ୍ୱାଭାବିକଠୁ ୫-୭ଡିଗ୍ରୀ ଉପରେ ରହିବ ପାରଦ: ୭ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି……

ଭୁବନେଶ୍ୱର : ଆଗକୁ ଦୁଇ ଦିନ ଏଭଳି ପ୍ରଚଣ୍ଡ ତାତି ସମସ୍ତଙ୍କୁ କଲବଲ କରିବ । ଭୟଙ୍କର ଗ୍ରୀଷ୍ମ ଲହରୀ ବହିବ ।ଏଭଳି ଭୟଙ୍କର ତାତିକୁ ଆଖିରେ ରଖି ପାଣିପାଗ ବିଭାଗ ଓ ସ୍ୱତନ୍ତ୍ର ରିଲିଫ କମିଶନର (ଏସ୍‌ଆରସି) ଚିନ୍ତାପ୍ରକଟ କରିଛନ୍ତି । ଆବଶ୍ୟକ ନ ଥିଲେ ୧୧ଟାରୁ ୩ଟା ଯାଏ ବାହାରକୁ ନ ବାହାରିବାକୁ ସତର୍କ କରାଇଛନ୍ତି ପାଣିପାଗ ବିଶେଷଜ୍ଞ । ସୋମବାର ଓ ମଙ୍ଗଳବାର ଦୁଇ ଦିନ ପଶ୍ଚିମ ଓଡ଼ିଶାର ୭ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଅନ୍ୟ ଜିଲ୍ଲା ପାଇଁ ମଧ୍ୟ ଆଶ୍ୱସ୍ତି ନାହିଁ । ଆକାଶରୁ ନିଆଁ ବର୍ଷିବ ଓ ତତଲା ପବନ ମାଡ଼ରେ ସମସ୍ତେ କଲବଲ ହେବେ ବୋଲି ଆକଳନ ଦିଆଯାଇଛି । ୧୯ ଯାଏ ତାତିରୁ ତ୍ରାହି ନାହିଁ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି । ସୋମବାର ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗୀର ଓ କେନ୍ଦୁଝରରେ ଭୀଷଣ ଗ୍ରୀଷ୍ମଲହରୀ ଆଶଙ୍କା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର(ଏସ୍‌ଆରସି) । ତାତିକୁ ମୁକାବିଲା କରିବାକୁ ପ୍ରସ୍ତୁତ ରହିବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସୁନ୍ଦରଗଡ଼, ନୂଆପଡ଼ା, କନ୍ଧମାଳ, ମୟୂରଭଞ୍ଜ ପାଇଁ ୟେଲୋ ସତର୍କତା ଦିଆଯାଇଛି । ମଙ୍ଗଳବାର ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର ଓ ବୌଦ୍ଧ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ସେହିଭଳି ବଲାଙ୍ଗୀର, କେନ୍ଦୁଝର, କନ୍ଧମାଳ, ସୁନ୍ଦରଗଡ଼ ଓ କଳାହାଣ୍ଡି ପାଇଁ ଏସ୍‌ଆରସି ୟେଲୋ ସତର୍କତା ଦେଇଛନ୍ତି । ଫୁଲବାଣୀରେ ରବିବାର ତାପମାତ୍ରା ସ୍ୱାଭାବିକଠାରୁ ୭.୮ ଡିଗ୍ରୀ ଅଧିକ ବଢ଼ି ଯାଇଥିଲା । ବଲାଙ୍ଗୀରରେ ସ୍ୱାଭାବିକଠାରୁ ୭.୧, କେନ୍ଦୁଝରରେ ୬.୭, ଭୁବନେଶ୍ୱରରେ ୬.୬ ଅଧିକ ତାତି ରହିଥିଲା । ୪ଟି ସହର ୪୪ ଡିଗ୍ରୀ ଉପରେ ଥିଲା । ପ୍ରଚଣ୍ଡ ତାତି ଓ ଗ୍ରୀଷ୍ମଲହରୀର ଏହି ଧାରା ଭାଙ୍ଗିବାର କ୍ୱଚିତ୍‌ ଆଶା ନାହିଁ । ଆସନ୍ତା ଦୁଇ ଦିନ ରାଜ୍ୟରେ ଭୀଷଣ(ସିଭିୟର) ହିଟ୍‌ ୱେଭ୍‌ ବା ଗ୍ରୀଷ୍ମଲହରୀ ବହିବ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି । ଉପକୂଳରୁ ନେଇ ଉତ୍ତର ଓଡ଼ିଶା । ପଶ୍ଚିମରୁ ଦକ୍ଷିଣ । ସବୁଠି ହୁତହୁତ୍‌ ହୋଇ ଜଳୁଥିଲା । ୩୦ ସହର ୪୦ ଡିଗ୍ରୀ ଉପରେ ପହଞ୍ଚିଥିଲା । ଲାଗୁଥିଲା, ଯେମିତି ଆକାଶରୁ ନିଆଁ ବର୍ଷୁଛି । ପଦାକୁ ଗଲେ ମୁହଁ, ହାତ ପୋଡ଼ି ପକାଉଥିଲା । ଝାଞ୍ଜି ମାଡ଼ ଏତେ ଭୀଷଣ ଥିଲା ଯେ ଲୋକେ ତ୍ରାହି ତ୍ରାହି ଡାକୁଥିଲେ । ଆହୁରି ଦୁଇ ଦିନ ଏଭଳି ଭୟଙ୍କର ସ୍ଥିତି ଲାଗି ରହିବ । ରବିବାର ବଲାଙ୍ଗୀର ଓ ବରଗଡ଼ ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା । ଦୁଇ ସହର ୪୪.୫ ଡିଗ୍ରୀ ତାତିରେ ଭାଜି ହୋଇଥିଲା । ଏହା ତଳକୁ ଥିଲା ଝାରସୁଗୁଡ଼ା । ଏଠାରେ ତାପମାତ୍ରା ୪୪.୪ ଓ ସୋନପୁରରେ ୪୪.୩ ଡିଗ୍ରୀ ଥିଲା । ପଶ୍ଚିମ ଓଡ଼ିଶା ଏଭଳି ପ୍ରଚଣ୍ଡ ତାତିରେ ଜଳୁଥିଲା । ଏପଟେ ଉପକୂଳ ବି ବାଦ୍‌ ପଡ଼ିନଥିଲା । ଭୁବନେଶ୍ୱରରେ ୪୨.୬, କଟକରେ ୪୧.୬ ଓ କେନ୍ଦ୍ରାପଡ଼ାରେ ୪୧ଡିଗ୍ରୀ ତାତିରେ ଜଳୁଥିଲା । ଅନେକ ସ୍ଥାନରେ ସକାଳ ଓ ସନ୍ଧ୍ୟାରେ ପ୍ରକୃତ ଅନୁଭବ ତାପମାତ୍ରା(ରିଅଲ ଫିଲ୍‌ ଟେମ୍ପ୍ରେଚର) ୫୦ଡିଗ୍ରୀ ଥିଲା । ପଶ୍ଚିମ ଓ ଉପକୂଳ ଭଳି ଉତ୍ତର ଓ ଦକ୍ଷିଣ ଓଡ଼ିଶାବାସୀ ବି ଭୀଷଣ ତାତି ଓ ଗୁଳୁଗୁଳିରେ ସନ୍ତୁଳି ହୋଇଥିଲେ । ବାରିପଦାରେ ୪୧,୬, କେନ୍ଦୁଝରରେ ୪୧ ଡିଗ୍ରୀ ରେକର୍ଡ ହୋଇଥିଲା । ସେହିଭଳି ବ୍ରହ୍ମପୁରରେ ୪୨.୫, ପାରଳାଖେମୁଣ୍ଡିରେ ୪୨, ମାଲକାନଗିରିରେ ୪୦.୫ ଡିଗ୍ରୀ ତାତି ଲୋକଙ୍କୁ ଛଟପଟ କରିଥିଲା । ଆସନ୍ତା ୧୯ ତାରିଖ ଯାଏ ରାଜ୍ୟରେ ଗରମ ଜାରି ରହିବ ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି । ଆସନ୍ତା ସପ୍ତାହରେ ଗ୍ରୀଷ୍ମଲହରୀ ବଢ଼ିବ । ୨୦ ତାରିଖ ଆଗରୁ ମୌସୁମୀ ଆସିବାର ସଙ୍କେତ ମିଳୁନି ବୋଲି ସେ ଆକଳନ କରିଛନ୍ତି । ଭୁବନେଶ୍ୱର ସମେତ ଅନ୍ୟ ସ୍ଥାନର ତାପମାତ୍ରା ଆହୁରି ବଢ଼ିବ । ସୋମବାର ରାଜଧାନୀ ତାତି ୧.୫ ଡିଗ୍ରୀରୁ ଅଧିକ ବଢ଼ିପାରେ । ଦକ୍ଷିଣ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ତାତି ୪୬ ଡିଗ୍ରୀ ଟପିଯିବ ବୋଲି ସେ ସତର୍କ କରାଇଛନ୍ତି । ଅଧିକ ଆର୍ଦ୍ରତା ଯୋଗୁ ଉପକୂଳରେ ଗୁଳୁଗୁଳି ବଢ଼ିବ । ଝାଞ୍ଜି ପବନ ବହିବା ଯୋଗୁ ଗରମ ଅସହ୍ୟ ହେବ । ୧୭ ପରେ ସାମାନ୍ୟ ବର୍ଷା ଯୋଗୁ ଉପକୂଳରେ ତାତି ବଢ଼ିପାରେ । ଆଭ୍ୟନ୍ତରୀଣ ଓଡ଼ିଶାରେ ୨୦ ଯାଏ ତାତି ରହିବ । ପ୍ରାକ୍‌ ମୌସୁମୀ ବର୍ଷା ପରେ ତାତି କମିବ । ୧୮ରୁ ୨୦ ଭିତରେ ରାଜ୍ୟରେ ସ୍ୱଳ୍ପ ମୌସୁମୀ ବର୍ଷା ହୋଇପାରେ । ଗୁଣ୍ଡିଚାରେ ଉପକୂଳରେ ବର୍ଷା ସମ୍ଭାବନା ଅଛି ବୋଲି ଡ. ପଶୁପାଳକ କହିଛନ୍ତି । ଚାଷୀଙ୍କୁ ପରାମର୍ଶ ଦେଇ ସେ କହିଛନ୍ତି, ବିଳମ୍ବିତ ମୌସୁମୀ ସହ ଏଲ୍‌ ନିନୋର ସମ୍ଭାବ୍ୟ ପ୍ରଭାବ ଯୋଗୁ ଢିପ ଜମିରେ ଅଣଧାନ ଫସଲ କରନ୍ତୁ । ମଧ୍ୟମ ଓ ଖାଲ ଜମିରେ ୧୧୦ରୁ ୧୩୦ ଦିନିଆ ଧାନ ଫସଲ ବ୍ୟବହାର କରନ୍ତୁ । ରୋଇବା ବଦଳରେ ଧାଡ଼ି ରୁଆ ଧାନ କରନ୍ତୁ । ମୌସୁମୀ ବର୍ଷା ଆରମ୍ଭ ପରେ କପା ଓ ଚିନାବାଦାମ ଲଗାନ୍ତୁ । ଜୁଲାଇ ୧୫ ପୂର୍ବରୁ ଏହି କାମ ସାରିବାକୁ ସେ ପରାମର୍ଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.