ଶିକ୍ଷକଙ୍କ ସହାୟତା ରେ କ୍ୟାନ୍ସରକୁ ପରାସ୍ତ କଲେ ସୌଭାଗ୍ୟ : ମ୍ୟାଟ୍ରିକ ପରୀକ୍ଷାରେ ଭଲ ନମ୍ବର ରଖି ହେଲେ ଉତ୍ତୀର୍ଣ୍ଣ l

ଜଣେ ଶିକ୍ଷକ ଜଣେ ଛାତ୍ରୀଙ୍କ ଜୀବନ ବଞ୍ଚେଇବା ପାଇଁ ଯେଉଁ ସଂଘର୍ଷ କରିଛନ୍ତି ତାହା ନିଶ୍ଚିତ ଭାବେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିବା ସହ କର୍କଟ ଯୋଦ୍ଧା ମାନଙ୍କ ପାଇଁ ନୂତନ ଆଶା ସଞ୍ଚାର କରିବ ଏଥିରେ ତିଲେମାତ୍ରେ ସନ୍ଦେହ ନାହିଁ। ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ସଂକ୍ରି ଗ୍ରାମର ଛାତ୍ରୀ ସୌଭାଗ୍ୟ ପଟେଲ ଗତବର୍ଷ ଅସ୍ଥି କର୍କଟ ରୋଗରେ ପୀଡ଼ିତ ହୋଇ ସୁଦ୍ଧା ଚଳିତ ବର୍ଷ ସମ୍ପୂର୍ଣ୍ଣ ସୁସ୍ଥ ହେବା ସହ ମ୍ୟାଟ୍ରିକ ପରୀକ୍ଷାରେ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି ଯାହାକି ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ।ଏହାପରେ ଛାତ୍ରୀଙ୍କୁ ଉତ୍ସାହିତ କରିବା ପାଇଁ ତାଙ୍କ ଘରକୁ ପହଞ୍ଚିଥିଲେ ଶିକ୍ଷକଙ୍କ ସହ ସ୍ଥାନୀୟ ସରପଞ୍ଚ। ସୌଭାଗ୍ୟ ପଟେଲ ହେଉଛନ୍ତି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଅମଠିର ଛାତ୍ରୀ।ଗତବର୍ଷ ତାଙ୍କ ଆଣ୍ଠୁରେ କର୍କଟ ରୋଗ ଚିହ୍ନଟ ହେବା ପରେ ତାଙ୍କ ମାଁ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ, ସେହି ସମୟରେ ସୌଭାଗ୍ୟର ସମସ୍ତ ଚିକିତ୍ସା ବ୍ୟବସ୍ଥା କରିବା ପାଇଁ ଭାର ନେଇଥିଲେ ଜଣେ ଯୁବ ଶିକ୍ଷକ ଦିବସ କୁମାର ସାହୁ।ତାଙ୍କ ପ୍ରୟାସରେ ରାୟପୁରର ଏକ ଘରୋଇ ହସ୍ପିଟାଲରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ହେବା ସହ ରାୟପୁରରେ ପ୍ରାୟ ୮ ମାସ ରହିବା ଖାଇବାର ବନ୍ଦୋବସ୍ତ କରିଥିଲେ।ସୌଭାଗ୍ୟର ଚିକିତ୍ସା ବାବଦକୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ପ୍ରାୟ ୪ ଲକ୍ଷ ଖର୍ଚ୍ଚ ହୋଇଥିବା ବେଳେ ଭାରତୀୟ କ୍ୟାନ୍ସର ସୋସାଇଟିରୁ ପ୍ରାୟ ସାଢ଼େ ୪ ଲକ୍ଷ ଟଙ୍କାର କୃତ୍ରିମ ଅଙ୍ଗ ପ୍ରତ୍ୟାରୋପଣ ବ୍ୟବସ୍ଥା ହୋଇଥିଲା।ଏହାଛଡା ସାମାଜିକ ଗଣମାଧ୍ୟମ ଜରିଆରେ ଆର୍ଥିକ ସହାୟତା ମାଗି ପାଖାପାଖି ୪୦ ହଜାର ଟଙ୍କା ସୌଭାଗ୍ୟ ଙ୍କ ଅକାଉଣ୍ଟରେ ଜମା ହୋଇଥିଲା ଯାହାକି ରାୟପୁର ରେ ରହିବା ଖାଇବା ପାଇଁ ସୁବିଧା ହୋଇଥିଲା । ଏହିସବୁ ଖର୍ଚ୍ଚ ସମ୍ପୂର୍ଣ୍ଣ ମାଗଣାରେ ହୋଇଥିବା ଯୋଗୁଁ ଜଣେ ଛାତ୍ରୀର ମୂଲ୍ୟବାନ ଜୀବନ ବଞ୍ଚିଥିବା ଯୋଗୁଁ ଶିକ୍ଷକ ଶ୍ରୀ ସାହୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ବାଲକୋ ହସ୍ପିଟାଲ ଏବଂ ଭାରତୀୟ କ୍ୟାନ୍ସର ସୋସାଇଟି ତଥା ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ସହାୟତା କରିଥିବା ସମସ୍ତ ବ୍ୟକ୍ତି ବିଶେଷ ତଥା ଅନୁଷ୍ଠାନକୁ କୃତଜ୍ଞତା ଜ୍ଞାପନ କରିଛନ୍ତି।କ୍ୟାନ୍ସର ରୋଗକୁ ଶୀଘ୍ର ଚିହ୍ନଟ କରିବା ତଥା ତ୍ୱରିତ ଚିକିତ୍ସା ମାଧ୍ୟମରେ ସମ୍ପୂର୍ଣ୍ଣ ଭଲ ହୋଇପାରିବ ବୋଲି ଶ୍ରୀ ସାହୁ କହିଛନ୍ତି । ଶିକ୍ଷକଙ୍କ ଏହି ମହତ କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି।